Categories: ଜାତୀୟ

୨୧ ବର୍ଷର ସମ୍ପତ୍ତି ବିବାଦ ଶେଷ, ଯୋଗୀ-ଧାମିଙ୍କ ସମାଧାନ ସୂତ୍ର…

ଲକ୍ଷ୍ନୌ/ଡେରାଡୁନ୍‌, ୫।୫ : ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଗତ ୨୧ ବର୍ଷ ଧରି ଚାଲିଥିବା ସମ୍ପତ୍ତି ବିବାଦ ଶେଷରେ ସମାପ୍ତ ହୋଇଛି। ତାଙ୍କର ଉତ୍ତରାଖଣ୍ଡ ଗସ୍ତ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିପକ୍ଷ ପୁଷ୍କର ସିଂ ଧାମିଙ୍କୁ ଭେଟି ବିବାଦର ସମାଧାନ କରିଛନ୍ତି। ପ୍ରାୟ ଅଢ଼େଇ ବର୍ଷ ପୂର୍ବେ ଯୋଗୀ ତତ୍କାଳୀନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ସହ ଏହି ସମସ୍ୟାର ସମାଧାନ ପାଇଁ ଆଲୋଚନା ଆରମ୍ଭ କରିଥିଲେ।

୨୦୦୦ମସିହାରେ ଉତ୍ତରପ୍ରଦେଶଠାରୁ ଅଲଗା ହୋଇ ଉତ୍ତରାଖଣ୍ଡ ରାଜ୍ୟ ଗଠନ ହେବା ପରଠାରୁ ଏହି ସମ୍ପତ୍ତି ବିବାଦ ଜାରି ରହିଥିଲା। ହରିଦ୍ୱାରର ଗଙ୍ଗା କୂଳରେ ଥିବା ଏକ ହୋଟେଲ ଅଲକନନ୍ଦାର ମାଲିକାନାକୁ ନେଇ ବିବାଦ ଦେଖାଦେଇଥିଲା। ଉତ୍ତରପ୍ରଦେଶ ଟୁରିଜିମ କର୍ପୋରେଶନ ଦ୍ୱାରା ଏହି ହୋଟେଲ ପରିଚାଳିତ ହେଉଛି। ତେବେ ଉତ୍ତରାଖଣ୍ଡ ଏହି ହୋଟେଲ ଉପରେ ନିଜର ଅଧିକାର ଚାହୁଁଥିଲା।

ଅଢ଼େଇ ବର୍ଷ ପୂର୍ବେ, ନିଷ୍ପତ୍ତି ନିଆଯାଇଥିଲା ଯେ ଅଲକନନ୍ଦା ହୋଟେଲ ଉତ୍ତରାଖଣ୍ଡ ନିକଟରେ ରହିବା ଉଚିତ୍‌। ଏଥିସହ ଏହାର ସଂଲଗ୍ନ ଜମି ଉତ୍ତରପ୍ରଦେଶକୁ ଦିଆଯାଉ। ସେଠାରେ ଉତ୍ତରପ୍ରଦେଶ ସରକାର ନିଜ ଖର୍ଚ୍ଚରେ ହୋଟେଲ ନିର୍ମାଣ କରିବେ।

ସମ୍ପତ୍ତି ବିବାଦର ସମାଧାନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଅଲକନନ୍ଦା ନିକଟରେ ଉତ୍ତରପ୍ରଦେଶ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ଏକ ରିସୋର୍ଟ ଭାଗୀରଥୀକୁ ଲୋକାର୍ପିତ କରିବେ। ଏହି ଅବସରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉପସ୍ଥିତ ରହିବେ। ଏହି ହୋଟେଲର ଲୋକାର୍ପଣ ସହିତ ଉଭୟ ରାଜ୍ୟର ସମ୍ପତ୍ତି ବିଭାଜନର ସମାଧାନ ଆନୁଷ୍ଠାନିକ ଭାବେ ଶେଷ ହେବ।

Share