Categories: ଜାତୀୟ

କାନ୍ଦାହାର ବିମାନ ଅପହରଣ ଘଟଣାକୁ ୨୧ ବର୍ଷ: ମାସୁଦ -ଓମର-ଅହମ୍ମଦ ଏବେ ବି ଅପହଞ୍ଚ

ନୂଆଦିଲ୍ଲୀ,୨୪।୧୨: କାନ୍ଦାହାର ବିମାନ ଅପହରଣ ଘଟଣାକୁ ଇତିମଧ୍ୟରେ ୨୧ ବର୍ଷ ପୂରଣ ହୋଇଛି। ୧୯୯୯ ଡିସେମ୍ବର ୨୪ରେ କାଠମାଣ୍ଡୁରୁ ଦିଲ୍ଲୀ ଉଡ଼ାଣ କରୁଥିବା ଇଣ୍ଡିଆନ୍‌ ଏୟାରଲାଇନ୍ସ୍‌ର ଆଇସି-୮୧୪ ବିମାନକୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ବିମାନକୁ ଅମୃତସର, ଲାହୋର, ଦୁବାଇ ବାଟ ଦେଇ ଆଫଗାନିସ୍ତାନର କନ୍ଧାହାରକୁ ନିଆଯାଇଥିଲା। ବିମାନରେ ୧୭୬ ଯାତ୍ରୀ ଏବଂ ୧୫ ଜଣ କର୍ମଚାରୀ ଥିଲେ। ଯାତ୍ରୀଙ୍କ ଜୀବନ ରକ୍ଷା ପାଇଁ ଭାରତ ସରକାରଙ୍କୁ ମାସୁଦ ଆଝାର, ଓମର ଶେଖ୍‌ ଏବଂ ମହମ୍ମଦ ଜରଗରଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ପଡ଼ିଥିଲା। ଏବେ ଏହି ୩ ଆତଙ୍କବାଦୀ ନିର୍ଭୟରେ ଜୀବନ ବିତାଉଛନ୍ତି। ମାସୁଦ  କାନ୍ଦାହାର ଘଟଣା ପରେ ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ ସ୍ଥାପନା କରିଥିଲେ। ମୁମ୍ବାଇ ଆକ୍ରମଣ, ପଠାଣକୋଟ ଆତଙ୍କବାଦୀ ଆକ୍ରମଣ ଏବଂ ପୁଲଓ୍ବାମା ଘଟଣାରେ ମାସୁଦଙ୍କ ହାତ ରହିଛି। ସେହିପରି ଓମର ୨୦୦୨ରେ ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲର ଗଣମାଧ୍ୟମ ପ୍ରତିନିଧି ଡେନିୟଲ ପର୍ଲଙ୍କୁ ହତ୍ୟା କରିଥିଲେ। ଏବେ ଏହି ମାମଲାର ଶୁଣାଣି ଜାରି ରହିଛି। ଅହମ୍ମଦଙ୍କ ନିଦ୍ଦେର୍ଶରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ  ଘଟୁଥିବା କୁହାଯାଉଛି।

Share