Categories: ଜାତୀୟ

କାରଗିଲ ବିଜୟ ଦିବସକୁ ପୂରଣ ହେଲା ୨୧ ବର୍ଷ

ନୂଆଦିଲ୍ଲୀ,୨୬।୭: କାରଗିଲ ବିଜୟ ଦିବସକୁ ୨୧ ବର୍ଷ ପୂରଣ ହୋଇଥିବା ବେଳେ ଏବେ ସାରା ଦେଶ ଏହି ବିଜୟ ଗାଥାକୁ ମନେପକାଇ ଗୌରାବାନ୍ବିତ ହେଉଛି। ଆଜକୁ ଠିକ୍‌ ୨୧ ବର୍ଷ ତଳେ ଜମ୍ମୁ-କଶ୍ମୀରର କାରଗିଲ, ତ୍ରାସ, ବଟାଲିକରେ ପଡିଥିଲା ଶତ୍ରୁଙ୍କ ନଜର। ହେଲେ ଏହାର କଡା ମୁକାବିଲା କରିଥିଲେ ଭାରତ ମାତାର ବୀର ଯବାନ। ନିଜ ଜୀବନକୁ ବଳି ଦେଇ ଶତ୍ରୁ କବଳରୁ ଛଡାଇ ଆଣିଥିଲେ ନିଜ ମା’ ମାଟିକୁ। ଭାରତୀୟ ବୀର ଯବାନଙ୍କ ଅଦମ୍ୟ ସାହସ ଓ ବଳିଦାନକୁ ସମ୍ମାନ ଜଣାଇ ଜୁଲାଇ ୨୬ରେ ସାରା ଦେଶ ପାଳନ କରୁଛି କାରଗିଲ ବିଜୟ ଦିବସ। ଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ, ରାଜନାଥ ସିଂ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାରତୀୟ ସେନାର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେମାନଙ୍କ ବଳିଦାନକୁ ଦେଶ ଚୀରଦିନ ପାଇଁ ମନେରଖିବ ବୋଲି କହିଛନ୍ତି। ଶାହା କହିଛନ୍ତି କାରଗିଲ ବିଜୟ ଦିବସ ଭାରତର ସ୍ବାଭିମାନ, ଅଦ୍ଭୁତ ପରାକ୍ରମ ଓ ଦୃଢ ନେତୃତ୍ୱର ଏକ ପ୍ରତିକ। ଏହି ଅବସରରେ ଶାହା ସମସ୍ତ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସୂଚନାଯୋଗ୍ୟ, ୧୯୯୯ ଶୀତ ଋତୁରେ ପାକିସ୍ତାନ ସେନା ସୁଯୋଗ ଦେଖି ଜମ୍ମୁ-କଶ୍ମୀରର କେତେକ ଶିବିର ଉପରେ କବ୍‌ଜା କରି ନେଇଥିଲେ। ଏପ୍ରିଲ ଶେଷ ଓ ମେ’ ମାସ ଆରମ୍ଭ ବେଳକୁ ସେଠାରେ ବରଫ ତରଳିବା ଆରମ୍ଭ କରିବାରୁ ଭାରତୀୟ ସେନାଙ୍କୁ ଏ ସମ୍ପର୍କରେ ସୂଚନା ମିଳିଥିଲା। ପାକିସ୍ତାନକୁ ସେସବୁ ସ୍ଥାନରୁ ହଟାଇବା ପାଇଁ ମେ’୫ରୁ ଜୁଲାଇ ୨୬ ପର୍ଯ୍ୟନ୍ତ ଯୁଦ୍ଧ ଲାଗି ରହିଥିଲା। ଶେଷରେ ଭାରତ ମାତାର କେତେଜଣ ବୀର ଯବାନ ନିଜର ପ୍ରାଣବଳି ଦେଇ ଦେଶକୁ ସୁରକ୍ଷା ଯୋଗାଇ ଦେଇଥିଲେ। ଆଜି ସେହି ବୀର ଯବାନଙ୍କ ଗାଥା ଗାଉଛି ଦେଶ।

Share