Categories: ଖେଳ

ଲକ୍ଷ୍ନୌ ଆଗରେ ୨୧୮ର ଟାର୍ଗେଟ: ଋତୁରାଜ ଗାଏକ୍ୱାଡ୍‌ଙ୍କ ଦ୍ରୁତ ଅର୍ଦ୍ଧଶତକ

ଚେନ୍ନାଇ,୩।୪: ସ୍ଥାନୀୟ ଏମଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ସୋମବାର ଚେନ୍ନାଇ ସୁପରକିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚ ଅନୁଷ୍ଠିତ ହୋଇଛି। ଋତୁରାଜ ଗାଏକ୍ୱାଡଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ଅବଦାନ ବଳରେ ଚେନ୍ନାଇ ୨୦ ଓଭରରେ ୨୧୭ ରନର ବୃହତ୍‌ ସ୍କୋର ଛିଡ଼ା କରିଛି। ଚଳିତ ସିଜନରେ ନିଜର ପ୍ରଥମ ମ୍ୟାଚରେ ଚେନ୍ନାଇ ହାରି ଯାଇଥିବା ବେଳେ ଲକ୍ଷ୍ନୌ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲା। ଟସ୍‌ ଜିତି ଲକ୍ଷ୍ନୌ ଅଧିନାୟକ ଲୋକେଶ ରାହୁଲ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଋତୁରାଜ ଗାଏକ୍ୱାଡ ଓ ଡେଭନ କନଓ୍ବେ ବିସ୍ଫୋରକ ବ୍ୟାଟିଂ କରି ଶତକୀୟ ଭାଗୀଦାରି ଗଢ଼ିବା ସହ ଚେନ୍ନାଇର ବଡ଼ ସ୍କୋର ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ଓପନିଂ ଯୋଡ଼ିରେ ଦୁହେଁ ୫୬ ବଲ୍‌ରୁ ୧୧୦ ରନ କରି ବିପକ୍ଷ ବୋଲରଙ୍କୁ ନାକେଦମ୍‌ କରିଥିଲେ। ୧୦ମ ଓଭରର ପ୍ରଥମ ବଲ୍‌ରେ ଗାଏକ୍ୱାଡ୍‌ଙ୍କୁ ଆଉଟ କରି ଲକ୍ଷ୍ନୌ ଦଳକୁ ପ୍ରଥମ ବ୍ରେକ୍‌ ଥ୍ରୁ ଦେଇଥିଲେ ରବି ବିଷ୍ଣୋଇ। ୩୧ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଋତୁରାଜ ୩ ଚୌକା ଓ ୪ ଛକା ସହାୟତାରେ ୫୭ ରନ କରିଥିଲେ। ତାଙ୍କ ଆଉଟରେ କନଓ୍ବେ ଏକାଗ୍ରତା ହରାଇଥିଲେ। ସେ ଅର୍ଦ୍ଧଶତକର ନିକଟତର ହୋଇଥିଲେ ହେଁ ୪୭ ରନ କରିଥିବା ବେଳେ ବିଷ୍ଣୋଇଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୨୯ଟି ବଲ୍‌ର ସମ୍ମୁଖୀନ ହୋଇଥିବା କନ୍‌ଓ୍ବେ ନିଜ ଇନିଂସ ମଧ୍ୟରେ ୫ ଚୌକା ଓ ୨ ଛକା ମାରିଥିଲେ। ମଧ୍ୟଭାଗରେ ଶିବମ୍‌ ଦୁବେ, ମୋଇନ୍‌ ଅଲୀ ବଡ଼ ସ୍କୋର କରିପାରି ନ ଥିଲେ ମଧ୍ୟ ଦ୍ରୁତ ହାରରେ ରନ୍‌ ସଂଗ୍ରହ କରିଥିଲେ। ଦୁବେ ୧୬ ବଲ୍‌ରୁ ୨୭ ଓ ଅଲୀ ୧୩ ବଲ୍‌ରୁ ୧୯ ରନ ସ୍କୋର କରିଥିଲେ। ବେନ୍‌ ଷ୍ଟୋକ୍ସ ୮ ଓ ରବୀନ୍ଦ୍ର ଜାଡେଜା ୩ ରନ୍‌କରି ଆଉଟ ହୋଇ ଯାଇଥିଲେ ହେଁ ଅମ୍ବାତି ରାୟୁଡ଼ୁ ୨୭ (୧୪ବଲ, ୨ ଚୌକା, ୨ ଛକା) ରନରେ ଅପରାଜିତ ରହି ଚେନ୍ନାଇ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିଜ୍‌କୁ ଆସିବା ମାତ୍ରେ ଲଗାତର ୨ଟି ବଲ୍‌ରେ ଛକା ମାରିଥିଲେ। ତେବେ ସେ ତୃତୀୟ ବଲ୍‌ରେ ଆଉଟ ହୋଇଯାଇଥିଲେ। ଏଠାରେ ୧୨ରନ ସଂଗ୍ରହ କରି ଧୋନୀ ଆଇପିଏଲ୍‌ରେ ୫୦୦୦ ରନ ପୂରଣ କରିଥିଲେ। ୨୦ତମ ଓଭର ଆରମ୍ଭ ହେବା ପୂର୍ବରୁ ଲକ୍ଷ୍ନୌ ଦଳ ଆଭେଶ ଖାଁଙ୍କ ସ୍ଥାନରେ ଆୟୂଷ ବଦୋନୀଙ୍କୁ ଇମ୍ପାକ୍ଟ ସବ୍‌ଷ୍ଟିଚ୍ୟୁଟଭାବେ ଖେଳାଇଥିଲା। ଲକ୍ଷ୍ନୌ ବୋଲରଙ୍କ ମଧ୍ୟରେ ରବି ବିଷ୍ଣୋଇ ଓ ମାର୍କ ଉଡ୍‌ ୩ଟି ଲେଖାଏ ଏବଂ ଆଭେଶ ଖାଁ ଗୋଟିଏ ଉଇକେଟ ନେଇଥିଲେ।

Share