Categories: ବାଣିଜ୍ୟ

୨୧ରେ ୯ମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

ଭୁବନେଶ୍ୱର,୨୦।୬: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଏକ ୧୧ଦିନିଆ ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଫେୟାର (ବିଆଇଟିଏଫ୍‌)ର ଆୟୋଜନ କରାଯାଉଛି। ଏହି ମେଳା ୨୦୨୪ ଜୁନ୍‌ ୨୧ରୁ ଜୁଲାଇ ୧ ପର୍ଯ୍ୟନ୍ତ ଭୁବନେଶ୍ୱରର ଜୟଦେବ ବିହାର ନିକଟସ୍ଥ ଜନତା ମଇଦାନଠାରେ ଆୟୋଜନ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୪ ଜୁନ୍‌ ୨୧ରେ ୯ମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (୯ମ ବିଆଇଟିଏଫ୍‌)ର ଆୟୋଜନ ଭୁବନେଶ୍ୱରର ଜୟଦେବ ବିହାର ନିକଟସ୍ଥ ଜନତା ମଇଦାନଠାରେ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଭୁବନେଶ୍ୱରର ରୋଟାରି ଭବନଠାରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ୍‌ର ଏମ୍‌ଡି ସୁଜିତ କୁମାର ଗୁପ୍ତା ଏବଂ ପାୟଲ ଆଚାର୍ଯ୍ୟ ଗୁପ୍ତାଙ୍କ ସମେତ ଦୀପକ କୁମାର ମହାନ୍ତି, ଡ. ନିବେଦିତା ମହାନ୍ତି ଓ କାଜଲ ମିଶ୍ର ପ୍ରମୁଖ ଉପସ୍ଥିତ ରହି ମେଳା ଆଭିମୁଖ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟସୂଚୀ ବିଷୟରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ।

ଅପରପକ୍ଷରେ ଏହି ୧୧ ଦିନିଆ ବାଣିଜ୍ୟ ମେଳାରେ ୨୨ ରାଜ୍ୟ ଓ ୧୦ ଦେଶର ବ୍ୟବସାୟୀ ଓ ବ୍ୟବସାୟିକ ସଂସ୍ଥା ଅଂଶ ଗ୍ରହଣ କରୁଥିଲାବେଳେ ପ୍ରତିଦିନ ସନ୍ଧ୍ୟାରେ ଉଭୟ କ୍ରେତା ଓ ବିକ୍ରେତାଙ୍କ ପାଇଁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ସେହିଭଳି ଏହି ମେଳା ବିଭିନ୍ନ ଜୋନ୍‌ ଯଥା ଫର୍ନଚର, ଇଣ୍ଟେରିଅର ଆଣ୍ଡ ଇଲେକ୍ଟ୍ରେନିକ, ରିଅଲ ଇଷ୍ଟେଟ, ହେଲ୍‌ଥ ଆଣ୍ଡ ବିୟୁଟି ପ୍ରଡକ୍ଟସ, କଞ୍ଜୁମର, ଇଣ୍ଟରନ୍ୟାଶନାଲ ଆଣ୍ଡ ଲାଇଫ ଷ୍ଟାଇଲ, ଅଟୋମୋବାଇଲ, ଶିକ୍ଷା, ହ୍ୟାଣ୍ଡଲୁମ ଆଣ୍ଡ ହ୍ୟାଣ୍ଡିକ୍ରାଫ୍ଟ, ମାନ୍ୟୁଫାକଚର, ଖାଦ୍ୟ ଏବଂ ସ୍ମଲ ସ୍କେଲ୍‌ ଇଣ୍ଟଷ୍ଟ୍ରି ଭଳି ଜୋନ୍‌ ରହିଛି ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସେହିପରି ଏହି ମେଳା ଏମ୍‌ଏସ୍‌ଏମ୍‌ଇ ଆଣ୍ଡ ଟ୍ରାଇବସ ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜନ କରାଯାଉଛି। ଏହି ମେଳା ପ୍ରତିଦିନ ଅପରାହ୍ନ ୨ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ପାଇଁ ଖୋଲା ରହିବ।

Share