Categories: ବାଣିଜ୍ୟ

ମାର୍ଚ୍ଚରେ ୨୧ତମ ଆଇଏଏପିଆଇ ଆମ୍ୟୁଜମେଣ୍ଟ ଏକ୍ସପୋ

ନୂଆଦିଲ୍ଲୀ,୬।୨: ଇଣ୍ଡିଆନ ଆସୋସିଏସନ ଅଫ୍‌ ଆମ୍ୟୁଜମେଣ୍ଟ ପାର୍କ ଆଣ୍ଡ ଇଣ୍ଡଷ୍ଟ୍ରିଜ (ଆଇଏଏପିଆଇ) ପକ୍ଷରୁ ଚଳିତ ବର୍ଷ ମାର୍ଚ୍ଚରେ ଏକ ୩ ଦିନିଆ ଏକ୍ସପୋ ଆୟୋଜନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୦୨୩ ମାର୍ଚ୍ଚ ୧ରୁ ୩ ପର୍ଯ୍ୟନ୍ତ ୨୧ତମ ଆଇଏଏପିଆଇ ଏକ୍ସପୋ ବମ୍ବେ ପ୍ରଦର୍ଶନୀ କେନ୍ଦ୍ରରେ ଆୟୋଜନ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଉକ୍ତ ଏକ୍ସପୋ ମନୋରଞ୍ଜନ,ଅବକାଶ ଓ ବିବିଧ ସେକ୍ଟର ପାଇଁ ବୃହତ୍‌ ଓ ପ୍ରିମିୟର ବାଣିଜ୍ୟ ପ୍ରଦର୍ଶନୀ ହେବାକୁ ଯାଉଛି। ଉକ୍ତ ପ୍ରଦଶନୀରେ ବିଭିନ୍ନ ଶିଳ୍ପ ଗୋଷ୍ଠୀ ସେମାନଙ୍କ ଅତ୍ୟାଧୁନିକ ଉପତ୍ାଦ, ସେବା, ଅଫର ଓ ବୈଷୟକ ପ୍ରଦର୍ଶନ କରିବା ଲାଗି ସୁଯୋଗ ପାଇବେ। ଏପରିକି ଉକ୍ତ ଏକ୍ସପୋରେ ଅଗ୍ରଣୀ ଭାରତୀୟ ତଥା ଆନ୍ତର୍ଜାତିକ କମ୍ପାନୀ ଓ ବ୍ରାଣ୍ଡ୍‌ର ସଂସ୍ଥାଗୁଡ଼ିକ ଯୋଗଦେବେ। ଏହି ତିନିଦିନିଆ ପ୍ରଦର୍ଶନୀକୁ ଭାରତ ସରକାରଙ୍କ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (ଏମ୍‌ଏସ୍‌ଏମ୍‌ଇ) ସମର୍ଥନ କରୁଥିବା ବେଳେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ପର୍ଯ୍ୟଟନ ବିଭାଗ ଏକ୍ସପୋର ପ୍ରତିଷ୍ଠିତ ଅଂଶୀଦାର ରାଜ୍ୟ ଭାବେ ସାମିଲ ହୋଇଛନ୍ତି। ଏ ସମ୍ପର୍କରେ ଆଇଏଏପିଆଇର ଅଧ୍ୟକ୍ଷ ରାଜୀବ କାପୁର କହିଛନ୍ତି, ଆମ ଦେଶର ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ମନୋରଞ୍ଜନ ଶିଳ୍ପକୁ ବେଶ୍‌ ଗୁରୁତ୍ୱ ଦିଆଯାଉଛି। ଏପରିକି ଆମର ସଂଗଠନ ଅଭିବୃଦ୍ଧି ତଥା ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଭାରତରେ ମନୋରଞ୍ଜନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ । ସେହିଭଳି ଆଇଏଏପିଆଇ ବାଣିଜ୍ୟ ପ୍ରଦର୍ଶନୀର ଅଧ୍ୟକ୍ଷ ନିର୍ମଳ ସିଂ ରାଣା କହିଛନ୍ତି, ମନୋରଞ୍ଜନ ପ୍ରଦର୍ଶନୀର ଏକବିଂଶ ସଂସ୍କରଣ ଆୟୋଜନ କରି ଆମେ ଅତ୍ୟନ୍ତ ଆନନ୍ଦିତ। ଆମେ ୩ ବର୍ଷ ପରେ ଫେରି ଆସିଛୁ ଓ ଏହି ବର୍ଷ ଉତ୍ସାହର ସହ ଆମର ପ୍ରଦର୍ଶନୀ ଜାରି ରଖିବୁ। ଆମେ ମଧ୍ୟ ଆମର ସଦସ୍ୟମାନଙ୍କ ଠାରୁ ବିପୁଳ ଆଗ୍ରହ ଓ ଭାରତୀୟ ଉପମହାଦେଶରେ ମନୋରଞ୍ଜନକୁ ଆକର୍ଷଣୀୟ କରିବାକୁ ଯୋଜନା କରୁଛୁ।

Share