Categories: ଜାତୀୟ

୨୨ ଭାରତୀୟ ଥିବା ଜାହାଜକୁ ମିଶାଇଲ ମାଡ଼

ନୂଆଦିଲ୍ଲୀ,୨୮।୧: ୨୨ ଭାରତୀୟ ଓ ଜଣେ ବାଂଲାଦେଶୀଙ୍କୁ ନେଇ ଲୋହିତ ସାଗରରେ ଯାଉଥିବା ବ୍ରିଟିଶ୍‌ ତୈଳ ଟ୍ୟାଙ୍କର ଏମ୍‌ଭି ମାର୍ଲିନ୍‌ ଲୁଆଣ୍ଡାକୁ ୟେମେନ୍‌ର ହୁଟି ଆତଙ୍କବାଦୀମାନେ ମିଶାଇଲ ମାଡ଼ କରିଛନ୍ତି। ଏହି ଆକ୍ରମଣରେ ଜାହାଜରେ ନିଅଁା ଲାଗିଥିବାବେଳେ ଭାରତୀୟ ନୌସେନାର କ୍ଷେପଣାସ୍ତ୍ର ବିଧ୍ୱଂସକ ଆଇଏନ୍‌ଏସ୍‌ ବିଶାଖାପଟନମ୍‌କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇରାନ୍‌ ସମର୍ଥତ୍ତ ହୁଟି ଆତଙ୍କବାଦୀ ଜାହାଜ ଚଳାଚଳର ପ୍ରମୁଖ ପଥ ଏଡେନ୍‌ ଉପସାଗରରେ ଏମ୍‌ଭି ମାର୍ଲିନ୍‌ ଲୁଆଣ୍ଡାକୁ ଟାର୍ଗେଟ କରିଥିଲେ। ମର୍ଚ୍ଚାଣ୍ଟ ଶିପ୍‌ରେ ଥିବା ଭାରତୀୟ ନାବିକମାନେ ସହାୟତା ମାଗିବାରୁ ଆଇଏନ୍‌ଏସ୍‌ ବିଶାଖାପଟନମ୍‌କୁ ସେଠାକୁ ପଠାଯାଇଥିଲା। ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ବ୍ରିଟିଶ୍‌ ତୈଳ ଟ୍ୟାଙ୍କର ଅପରେଟର କହିଛନ୍ତି, ଜାହାଜ ଉପରେ ମିଶାଇଲ ଆକ୍ରମଣ ହୋଇଥିବାରୁ ସେଥିରେ ନିଅଁା ଲାଗିଛି।
ପୂର୍ବରୁ ୨୦୨୩ ଡିସେମ୍ବର ୨୩ରେ ୨୧ ଭାରତୀୟ ଥିବା ଏମ୍‌ଭି ଚେମ୍‌ ପ୍ଲୁଟୋକୁ ଗୁଜରାଟ ଉପକୂଳରେ ଡ୍ରୋନ୍‌ ଆକ୍ରମଣ କରାଯାଇଥିଲା। ଜାନୁଆରୀ ୫ରେ ଆରବ ସାଗରରେ ଲିବର୍ନିଆ ପତାକା ଲାଗିଥିବା ଏମ୍‌ଭି ଲିଲା ନର୍‌ଫୋକ୍‌କୁ ଅପହରଣ ଉଦ୍ୟମକୁ ଭାରତୀୟ ନୌସେନା ପଣ୍ଡ କରିଥିଲା। ସେହିପରି ଗତ ୧୭ ତାରିଖ ରାତିରେ ଏଡେନ୍‌ ଉପସାଗରରେ ଏମ୍‌ଭି ଜେନ୍‌କୋ ପିକାର୍ଡି ଉପରେ ମଧ୍ୟ ହୁଟି ବିଦ୍ରୋହୀମାନେ ଡ୍ରୋନ୍‌ ଆକ୍ରମଣ କରିଥିଲେ।

Share