ଆମ୍ବୁଲାନ୍ସ୍‌ରେ ୨୨ ମୃତଦେହ ଗଦା: ଶ୍ମଶାନରେ ଧାଡ଼ିଧାଡ଼ି ଜୁଇ…

ମୁମ୍ବାଇ,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ସହିତ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ଶ୍ମଶାନରେ ଧାଡ଼ିଧାଡ଼ି ଜୁଇ ଦିନ ରାତି ଜଳୁଛି। ଶ୍ମଶାନ ଆଗରେ ଅନ୍ତିମ ସଂସ୍କାର ପାଇଁ ମୃତାଦେହଗୁଡ଼ିକ ଲମ୍ବା ଲାଇନ୍‌ରେ ରଖାଯାଉଥିବାର ଦେଖିବାକୁ ମିଳୁଛି। ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚିଛି। ଏବେ ମହାରାଷ୍ଟ୍ର ବିଡ୍‌ ଜିଲାର ଅମ୍ବାଜୋଗାଈ ଅଞ୍ଚଳର ଏକ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ସ୍ବାମୀ ରାମାନନ୍ଦ ତୀର୍ଥ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ୨୨ ଜଣ ମୃତକଙ୍କ ମୃତଦେହକୁ ଗୋଟିଏ ଆମ୍ବୁଲାନ୍ସ୍‌ରେ ଗଦା କରି ରଖାଯାଇଥିବାର ଛାତିଥରା ଦୃଶ୍ୟ ଫଟୋରେ ରହିଛି। ମୃତଦେହଗୁଡ଼ିକୁ ଅନ୍ତିମ ସଂସ୍କାର ପାଇଁ ନିଆ ଯାଉଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ଆମ୍ବୁଲାନ୍ସ୍‌ ଅଭାବ ଥିବାରୁ ଏଭଳି କରାଯାଇଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ହସ୍ପିଟାଲର ଦୁଇଟି ଆମ୍ବୁଲାନ୍ସ୍‌ ରହିଛି। ଅଧିକ ୫ଟି ଆମ୍ବୁଲାନ୍ସ୍‌ ଯୋଗାଇ ଦେବାକୁ ମାର୍ଚ୍ଚ ୧୭ରେ ସ୍ଥାନୀୟ ପ୍ରଶାସନ ନିକଟକୁ ହସ୍ପିଟାଲ କର୍ତ୍ତୃପକ୍ଷ ଚିଠି ଲେଖିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଆମ୍ବୁଲାନ୍ସ୍‌ ଯୋଗାଇ ଦିଆଯାଇ ନ ଥିବା ହସ୍ପିଟାଲ ପକ୍ଷରୁ କହାଯାଇଛି। ସୋସିଆଲ୍‌ ମିଡ଼ିଆରେ ଫଟୋ ଅପଲୋଡ୍‌ କରାଯିବା ପରେ ଏଭଳି ଅମାନବୀୟ କାର୍ଯ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

Share