ଲକ୍ଷ୍ନୌ,୧୭।୯: ଉତ୍ତରପ୍ରଦେଶରେ ଗୁରୁବାର ରାତିଠାରୁ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ସ୍ଥାନରେ କାନ୍ଥ ପଡ଼ି ମୋଟ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଲକ୍ଷ୍ନୌର ଦିଲକୁଶ ଅଞ୍ଚଳରେ ଏକ ନିର୍ମାଣାଧୀନ ପାଚେରି ଶୁକ୍ରବାର ସକାଳେ ଭୁଶୁଡ଼ି ପଡ଼ିବାରୁ ୩ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ମୃତକମାନଙ୍କ ଘର ଝାନ୍ସି ଜିଲାରେ। ସେମାନେ ନିର୍ମାଣାଧୀନ ପାଚେରି ନିକଟରେ ଝୁମ୍ପୁଡ଼ି ନିର୍ମାଣ କରି ରହିଥିଲେ। ଏହା ବ୍ୟତୀତ ଉନ୍ନାଓରେ ୫, ଫତେପୁରରେ ୩, ପ୍ରୟାଗରାଜରେ ୨, ସୀତାପୁର, ରାଇବରେଲି ଏବଂ ଝାନ୍ସୀରେ ଜଣେ ଲେଖାଏ ପ୍ରାଣ ହରଛନ୍ତି।