Categories: ଜାତୀୟ

୨୨ ବିଧାୟକ, ୯ ଏମ୍‌ପି ଶିନ୍ଦେ କ୍ୟାମ୍ପ୍‌ ଛାଡ଼ିପାରନ୍ତି

ମୁମ୍ବାଇ, ୩୧ା୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀର ୯ ଜଣ ଏମ୍‌ପି ଏବଂ ୨୨ ବିଧାୟକ ଦଳ ଛାଡ଼ିପାରନ୍ତି ବୋଲି ଉଦ୍ଧବ ଠାକ୍‌ରେ ନେତୃତ୍ୱାଧୀନ ଶିବସେନା (ୟୁବିଟି) ପକ୍ଷରୁ ଅଭିଯୋଗ କରାଯାଇଛି। ସେମାନେ ଦଳ ଭିତରେ ଅଣନିଃଶ୍ୱାସୀ ଅନୁଭବ କରୁଛନ୍ତି। ସେମାନଙ୍କ ପ୍ରତି ଭାଜପା ବୈମାତୃକ ବ୍ୟବହାର ଦେଖାଉଥିବା ଶିବସେନା(ୟୁବିଟି) ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ ପ୍ରକାଶ ପାଇଛି। ଉପରୋକ୍ତ ଅସନ୍ତୁଷ୍ଟ ଏମ୍‌ପି ଏବଂ ବିଧାୟକମାନେ ଭାଜପା ବିଦ୍ରୋହର ସମ୍ମୁଖୀନ ହୋଇଛନ୍ତି ଓ ସେମାନେ କେତେବେଳେ ବଳିପଡ଼ିବେ କହିହେବ ନାହିଁ। ଅନୁରୂପ ଭାବେ ଭାଜପାର ବୈମାତୃକ ବ୍ୟବହାର କାରଣରୁ ୨୦୧୯ରେ ଶିବସେନା ଏହାଠାରୁ ସମ୍ପର୍କ ତୁଟାଇଥିଲା ବୋଲି ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି। ଶିବସେନାର ଏହି ଏମ୍‌ପି ଓ ବିଧାୟକମାନେ ଉଦ୍ଧବଙ୍କୁ ପ୍ରତାରିତ କରି ଭାଜପା ସହ ହାତ ମିଳାଇଥିଲେ। ଗୈରିକ ଦଳ ସହ ସେମାନଙ୍କ ମଧୁର ସମ୍ପର୍କ ଏବେ ତିକ୍ତ ହୋଇଛି। ସେମାନେ ଶିନ୍ଦେ କ୍ୟାମ୍ପ୍‌ ଛାଡ଼ିବା ନେଇ ଚର୍ଚ୍ଚା ହେଉଛି। ଭାଜପାରେ ସେମାନଙ୍କୁ ଉପଯୁକ୍ତ ବ୍ୟବହାର କରାଯାଉ ନ ଥିବା ନେଇ ଶିବସେନା ଏମ୍‌ପି ଗଜାନନ କୀର୍ତ୍ତିକାର ୩ ଦିନ ପୂର୍ବରୁ କହିଥିଲେ। ଶିବସେନାକୁ ଧ୍ୱଂସ କରିଦେବାକୁ ଭାଜପା ଉଦ୍ୟମ କରିଥିଲା। ସେଥିପାଇଁ ଏହି ଦଳ ଭାଜପାଠାରୁ ଦୂରେଇ ଯାଇଥିବା ସଞ୍ଜୟ ରାଉତ କହିଛନ୍ତି। ଭାଜପା ଏକ କୁମ୍ଭୀର କିମ୍ବା ଅଜଗର ଭଳି। ଏହା ପାଖକୁ ଗଲେ ଗିଳିଦେବ। ଶିବସେନାର ଯେଉଁ ଏମ୍‌ପି ଏବଂ ବିଧାୟକମାନେ ଏବେ ନେତୃତ୍ୱ ବିରୋଧରେ ବିଦ୍ରୋହ କରୁଛନ୍ତି, ସେମାନେ ନିଶ୍ଚୟ ବୁଝିପାରୁଥିବେ ଯେ ଉଦ୍ଧବ ଗୈରିକ ଦଳଠାରୁ ଦୂରେଇ ଯିବା ଲାଗି ନେଇଥିବା ନିଷ୍ପତ୍ତି ଠିକ୍‌ ଥିଲା ବୋଲି ସଞ୍ଜୟ କହିଛନ୍ତି।

Share