ବୈଷ୍ଣୋ ଦେବୀ ମନ୍ଦିରର ୩ ପୂଜାରୀଙ୍କ ସମେତ ୨୨ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୮: କରୋନା ଭାଇରସ ସଂକ୍ରମଣ ପାଇଁ ଦୀର୍ଘ ୫ ମାସ ବନ୍ଦ ରହିବା ପରେ ରବିବାର ଭକ୍ତଙ୍କ ଦର୍ଶନ ପାଇଁ ମା’ ବୈଷ୍ଣୋ ଦେବୀ ମନ୍ଦିର ଖୋଲି ଦିଆଯାଇଥିଲା। କରୋନା ଭାଇରସ ସଂକ୍ରମଣକୁ ନେଇ ମଧ୍ୟ କଡାକଡି ନିୟମ ପାଳନ କରାଯାଇଥିଲା। ଯାହା ଭକ୍ତଙ୍କୁ କରୋନାଠାରୁ ଦୂରେଇ ରଖିବ। ଏସବୁ ପରେ ବି କରୋନା ମହାମାରୀ ମନ୍ଦିରରେ ପ୍ରବେଶ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନାରୁ ଜଣାପଡିଛି କି ବୈଷ୍ଣୋ ଦେବୀ ମନ୍ଦିରର ୩ ପୂଜାରୀ, ୪ ପୋଲିସ ଓ ଶ୍ରୀ ମାତା ବୈଷ୍ଣୋ ଦେବୀ ଶ୍ରାଇନ ବୋର୍ଡର କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହା ପୂର୍ବରୁ ରବିବାର ଏଠାରେ ୨୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଦୀର୍ଘ ୫ମାସ ପରେ ସମସ୍ତ ବ୍ୟବସ୍ଥା କରାଯାଇ ମନ୍ଦିର ଖୋଲାଯିବା ପରେ ବି ଏଠାରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାରୁ ନିୟମରେ ପୁଣି କିଛିଟା ପରିବର୍ତ୍ତନ କରାଯାଇଛି। ଯେମିତିକି ଗୁମ୍ଫା ମଧ୍ୟରେ ପୂଜାରୀ କୌଣସି ଭକ୍ତଙ୍କୁ ଟିକା ଲଗାଇବେ ନାହିଁ। ଏଠାରେ ଥିବା ଦୋକାନ ଗୁଡିକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଏବେ ମା’ଙ୍କୁ ଦର୍ଶନ କରିବାକୁ ଅନ୍‌ଲାଇନରେ ରେଜିଷ୍ଟ୍ରେଶନ କରିବାକୁ ପଡୁଛି। ରେଡ ଜୋନ୍‌ ଓ ଜମ୍ମୁ-କଶ୍ମୀର ବାହାରୁ ଆସିଥିବା ଭକ୍ତଙ୍କର କରୋନା ଟେଷ୍ଟକୁ ଅନିର୍ବାଜ୍ୟ କରି ଦିଆଯାଇଛି। ଯେଉଁମାନଙ୍କର କରୋନା ରିପୋର୍ଟ ନେଗେଟିଭ ଆସୁଛି ସେମାନଙ୍କୁ ମନ୍ଦିର ଯିବାକୁ ଅନୁମତି ପ୍ରଦାନ କରାଯାଉଛି।

Share