କଳାବଜାର ବିରୋଧରେ ୨୨ ସ୍କ୍ବାଡ୍‌

ଭୁବନେଶ୍ୱର,୨୦।୪(ବ୍ୟୁରୋ): ସାରା ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଭୟଙ୍କର ରୂପ ନେଇଛି। ଏପରି ଘଡିସନ୍ଧି ମୁହୂର୍ତ୍ତରେ କୋଭିଡ୍‌ ଔଷଧ ଓ ଚିକିତ୍ସା ଉପକରଣର ବେଆଇନ୍‌ ଗଚ୍ଛିତ ସହ କଳାବଜାର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ରାଜ୍ୟ ପୋଲିସ। ସୋମବାର ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ କ୍ରାଇମ୍‌ବ୍ରାଞ୍ଚର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଡିଜି) ଯଶୋବନ୍ତ ଜେଠୱାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏସ୍‌ଟିଏଫ୍‌ ଡିଆଇଜି ଜୟନାରାୟଣ ପଙ୍କଜଙ୍କ ସମେତ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର୍‌, ଏସ୍‌ଟିଏଫ୍‌ ଓ କ୍ରାଇମ୍‌ବ୍ରାଞ୍ଚର ଅଧିକାରୀ ଏବଂ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ସହ କୋଭିଡ୍‌ ସାମଗ୍ରୀ କଳାବଜାର ସଂକ୍ରାନ୍ତରେ ଜେଠ୍‌ୱା ଆଲୋଚନା କରିଥିଲେ। ସଂକ୍ରମଣ ବୃଦ୍ଧି ପାଉଥିବାରୁ ବ୍ୟବସାୟୀମାନେ କଳାବଜାର କରିବା ଆଶଙ୍କା ରହିଛି। ଏପରି ବେଆଇନ କାର୍ଯ୍ୟରେ ଲିପ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଡିଜି ଜେଠୱା ଚେତାବନୀ ଦେଇଛନ୍ତି। ଏଥିସହ କଳାବଜାର ରୋକିବାକୁ ଡ୍ରଗ୍ସ ଇନ୍ସପେକ୍ଟର, କ୍ରାଇମବ୍ରାଞ୍ଚ ଓ ସ୍ଥାନୀୟ ପୋଲିସକୁ ନେଇ ୨୨ଟି ସ୍ପେଶାଲ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ଗଠନ କରାଯାଇଛି। କଟକ ଓ ଭୁବନେଶ୍ୱରରେ ୭ଟି ସ୍କ୍ବାଡ୍‌ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ୧୫ଟି ସ୍କ୍ବାଡ୍‌ କାର୍ଯ୍ୟ କରିବ
କଳାବଜାର ବିରୋଧରେ…
ବୋଲି ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ କୋଭିଡ୍‌ ଔଷଧ ଓ ଇଞ୍ଜେକ୍ସନ ପ୍ରସ୍ତୁତକାରୀ କମ୍ପାନୀଠାରୁ ଆରମ୍ଭ କରି ଷ୍ଟକିଷ୍ଟ, ସପ୍ଲାୟର୍‌, ବିକ୍ରେତାଙ୍କ ସମସ୍ତ ତଥ୍ୟ ଯାଞ୍ଚ ଚାଲିଛି। ସେମାନଙ୍କ କାର୍ଯ୍ୟକଳାପ ସଂକ୍ରାନ୍ତରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଗୋଇନ୍ଦା ସୂଚନାକୁ ଅଧିକ କ୍ରିୟାଶୀଳ କରାଯାଇଛି। କୌଣସି ସ୍ଥାନରେ କଳାବଜାର ହେଉଥିବା ଖବର ମିଳିଲେ ତତ୍‌କ୍ଷଣାତ ଚଢ଼ାଉ କରାଯିବ। ଏ ସମ୍ପର୍କିତ କୌଣସି ଖବର ନଜରକୁ ଆସିଲେ ଜନସାଧାରଣ ପୋଲିସକୁ ତୁରନ୍ତ ଖବର ଦେବାକୁ କ୍ରାଇମବ୍ରାଞ୍ଚ ଏଡିଜି ଜେଠଓ୍ବା ନିବେଦନ କରିଛନ୍ତି।

Share