ଭୁବନେଶ୍ୱର,୧୬ା୩(ବ୍ୟୁରୋ): ରାଜ୍ୟରେ ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୪ରେ ଭୋଟ ଗ୍ରହଣ ହେବ। ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ୫ ଦିନ ମଦ ବିକ୍ରି ବନ୍ଦ ରଖିବାକୁ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟର ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମ ଅଞ୍ଚଳରେ ମଦ ବିକ୍ରି ବନ୍ଦ ରହିବ। ମାର୍ଚ୍ଚ ୨୨ରୁ ୨୬ ତାରିଖ ଯାଏ ‘ଡ୍ରାଏ ଡେ’ ଘୋଷଣା କରାଯାଇଛି। ଏହି ସମୟରେ ସମସ୍ତ ଦୋକାନ, ବାର୍, ହୋଟେଲ ଓ ରେଷ୍ଟୁରାଣ୍ଟରେ ମଦ ବିକ୍ରି ବନ୍ଦ ରହିବ। ଏ ନେଇ ସମସ୍ତ ଜିଲାପାଳମାନଙ୍କୁ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୌର ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ବେଆଇନ ମଦ କାରବାର ବୃଦ୍ଧି ପାଇଛି। ଗତ ମାର୍ଚ୍ଚ ୩ ତାରିଖରୁ ୧୩ ତାରିଖ ମଧ୍ୟରେ ୧୩୬୦୫.୨ ବଲ୍କ ଲିଟର ଜବତ ହୋଇଥିବା ବେଳେ ୫ଟି ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସେହିପରି ୧୯୯୪ ଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ବେଳେ ୨୩,୧୨୬ ଜଣଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି।