ହିଜାବ ନ ପିନ୍ଧିବାରୁ ଜୀବନ ଗଲା

ଇରାନ,୧୮।୯: ଏଠାର ପୋଲିସ ହିଜାବ ଆଇନରେ ଜଣେ ୨୨ ବର୍ଷୀୟା ମହିଳାଙ୍କୁ ଗିରଫ କରିବା ପରେ ସେ କୋମାକୁ ଚାଲିଯାଇଥିଲେ। ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିବା ପରେ ତେହରାନ୍‌ରେ ଉତ୍ତେଜନା ଦେଖାଦେଇଛି। ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ କଠୋର ଦଣ୍ଡ ଦେବା ଲାଗି ତାଙ୍କ ପରିବାର ଏବଂ ସାମାଜିକ କର୍ମୀମାନେ ଦାବି କରିଛନ୍ତି। ଇରାନୀୟ ଆଇନରେ ମହିଳାମାନେ ସର୍ବସାଧାରଣ ସ୍ଥାନରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ। ଉକ୍ତ ଆଇନକୁ କାର୍ଯ୍ୟକାରୀ କରୁଥିବା ପୋଲିସ ମଙ୍ଗଳବାର ତେହରାନରେ ମାହସା ଅମିନି (୨୨) ନାମ୍ନୀ ମହିଳାଙ୍କୁ ଗିରଫ କରିଥିଲା। ଗିରଫ ପରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଇରାନ ସରକାରୀ ଟେଲିଭିଜନ ପକ୍ଷରୁ ଖବର ପ୍ରକାଶ ପାଇଛି। ଅନ୍ୟପକ୍ଷରେ ନୈତିକ ପୋଲିସ୍‌ର ମାଡ଼ରେ ମହିଳାଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଅଭିଯୋଗ କରିଛି। ମହିଳାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ତଭସିର ଚ୍ୟାନେଲ ପକ୍ଷରୁ କୁହାଯାଇଛି। ହାଜତରେ ତାଙ୍କୁ ନିର୍ଯାତନା ଦିଆଯାଇଥିବାରୁ ଏହାର ଆପରାଧିକ ତଦନ୍ତ ଆମ୍‌ନେଷ୍ଟି ଇଣ୍ଟନ୍ୟାଶନାଲ ଦାବି କରିଛି।

Share