Categories: ଜାତୀୟ

ସର୍ବସାଧାରଣରେ ବାପାଙ୍କୁ ଜାଳି ଦେଲା ଝିଅ

କୋଲାକାତା,୨୩।୩ : ଜଣେ ୨୨ ବର୍ଷୀୟା ଝିଅ ସର୍ବସାଧାରଣରେ ବାପାଙ୍କୁ ନିଆଁ ଲଗାଇ ହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ହତ୍ୟା ପୂର୍ବରୁ ରାତ୍ରି ଭୋଜନ ପାଇଁ ବାପାଙ୍କୁ ନେଇଯାଇଥିଲେ ରେଷ୍ଟୁରାଣ୍ଟ। ସେଠାରେ ବାପାଙ୍କୁ ଖୁବ୍‌ ମଦ ପିଆଇଥିଲେ ଝିଅ। ତା’ ପରେ ସେମାନେ ବୁଲିବାକୁ ଯାଇଥିଲେ ଷ୍ଟ୍ରାଣ୍ଡ ରୋଡ ସ୍ଥିତ ଚାଡପଲ ଘାଟକୁ। ସେଠାରେ ଏକ ବେଞ୍ଚରେ ଶୋଇ ପଡ଼ିଥିଲେ ୫୬ ବର୍ଷୀୟ ବାପା। ଏହାପରେ ବାପାଙ୍କ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ ଝିଅ। ପାଖରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ସମ୍ପୂର୍ଣ୍ଣ ଘଟଣା। ମହିଳା ଜଣଙ୍କ ପୋଲିସ ସମ୍ମୁଖରେ ନିଜ ଅପରାଧ ସ୍ବୀକାର କରିଛନ୍ତି।

ସର୍କସ ପାର୍କ ନିକଟସ୍ଥ ଖ୍ରୀଷ୍ଟଫର ରୋଡ୍‌ସ୍ଥିତ ବାସଭବନରୁ ମହିଳାଙ୍କୁ ଗିରଫ କରାଯିବା ପରେ ପଚରାଉଚୁରା କରାଯାଇଥିଲା। ଅଭିଯୁକ୍ତ ଛୋଟବେଳେ ତାଙ୍କ ମା’ଙ୍କୁ ହରାଇଥିଲେ। ଏହା ପରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ବାପା। ବିବାହ ପରେ ଏ ସବୁ ବନ୍ଦ ହୋଇଯାଇଥିଲା। କିନ୍ତୁ ବିବାହ ବିଚ୍ଛେଦ ପରେ ସେ ଫେରି ଆସିଥିଲେ ଘରକୁ। ପୁଣି ଆରମ୍ଭ ହୋଇଥିଲା ନିର୍ଯ୍ୟାତନାର ସେହି କାହାଣୀ। ଏଥିରେ ଅତିଷ୍ଠ ହୋଇ ମହିଳା ଜଣଙ୍କ ଏଭଳି ପଦକ୍ଷେପ ଉଠାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।

Share