ନୂଆଦିଲ୍ଲୀ: ପ୍ରମୁଖ ମୃଦୁପାନୀୟ କମ୍ପାନୀ କୋକାକୋଲା ପୁଣି ଥରେ ୨,୨୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଜଣାପଡିଛି। ଏଥିରେ ଆମେରିକାର ୧୨୦୦ ନିଯୁକ୍ତି ମଧ୍ୟ ସାମିଲ ରହିଛି। କମ୍ପାନୀ ଏହାର ପୁନର୍ଗଠନ ଯୋଜନା ମୁତାବକ ଏଭଳି ପଦକ୍ଷେପ ହାତକୁ ନେଇଛି। ଏହା ପୂର୍ବରୁ କମ୍ପାନୀ ଉତ୍ତର ଆମେରିକାରେ ଥିବା ଏହାର ଏକ ୟୁନିଟରୁ ୪୦% କର୍ମଚାରୀଙ୍କୁ ଛଟେଇ କରିଥିଲା। ଆଗାମୀ ଦିନଗୁଡିକରେ ମଧ୍ୟ ଛଟେଇ ହୋଇପାରେ ବୋଲି କମ୍ପାନୀ ମତ ରଖିଛି। କରୋନା ଯୋଗୁ କମ୍ପାନୀର ବିକ୍ରି ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କମ୍ପାନୀର ମୁଖପାତ୍ର କହିଛନ୍ତି, ସାରା ବିଶ୍ୱରେ କାମ କରୁଥିବା ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୨.୬%ଙ୍କୁ ଛଟେଇ କରାଯିବା ଯୋଜନା ରହିଛି। ସୂଚନାଯୋଗ୍ୟ, ତୃତୀୟ ତ୍ରୈମାସରେ କୋକାକୋଲାର ଲାଭ ୩୩% ହ୍ରାସ ଫଳରେ କମ୍ପାନୀ ଚାପଗ୍ରସ୍ତ ହୋଇଛି।