କରୋନା ଭୟ: ମୃତଦେହ ଛୁଇଁଲେନି ଗ୍ରାମବାସୀ

ସିମୁଳିଆ, ୪ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଜାମୁଝାଡି ପଞ୍ଚାୟତ ଖଟନଗର ଅଞ୍ଚଳରେ ରବିବାର ଅପରାହ୍ନରେ ମୃତ୍ୟୁ ହୋଇଥିବା ଶ୍ରୀଧର ଦଳାଇ(୫୦) ନାମକ ବ୍ୟକ୍ତିଙ୍କ ମୃତଦେହକୁ କରୋନା ଭୟରେ ଗ୍ରାମବାସୀ ନ ଛୁଇଁବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଫଳରେ ମୃତଦେହ ୨୦ଘଣ୍ଟା ପର୍ଯ୍ୟନ୍ତ ପଡିରହିଥିଲା। ସୋମବାର ଅପରାହ୍ନରେ ଶ୍ରୀଧରଙ୍କ ମୃତଦେହକୁ ତାଙ୍କ ବନ୍ଧୁବାନ୍ଧବ ଓ ପଞ୍ଚାୟତର ପ୍ରଶାନ୍ତ କୁମାର ପଣ୍ଡା, ଅକ୍ଷୟ ବିଶ୍ୱାଳ, ଶ୍ରୀଧର ମହାନ୍ତି, ଅମରେଶ ମହାକୁଡ ପ୍ରମୁଖ ସ୍ବେଚ୍ଛାସେବୀ ଯୁବକଙ୍କ ସହଯୋଗରେ ଶବ ସଂସ୍କାର କରାଯାଇଥିଲା ା
କୋଲକାତାରୁ ଫେରିଥିବା ଶ୍ରୀଧରଙ୍କ ସ୍ବାବ ଟେଷ୍ଟ କରାଯାଇ ନ ଥିବା ଅଭିଯୋଗ ହୋଇଛି ା ଏ ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ଆଇନ ସଚେତକ ନୀଳାମ୍ବର ମିଶ୍ର କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ କୈଫୟତ ମାଗିଛନ୍ତି ା ଉଲ୍ଲେଖଯୋଗ୍ୟ, ଜାମୁଝାଡି ଖଟନଗର ଅଞ୍ଚଳର ଶ୍ରୀଧର ଦଳାଇ ଗତ ୨୮ତାରିଖରେ କୋଲକାତାରୁ ନିଜ ଅଞ୍ଚଳକୁ ଆସିଥିଲେ। ପରେ ଗ୍ରାମବାସୀଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳର ଅଙ୍ଗନୱାଡି କର୍ମୀ ସୀତାଞ୍ଜଳି ସାହୁ ସିମୁଳିଆ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ ା ତେବେ ସ୍ବାସ୍ଥ୍ୟ ବିଭାଗ ତାଙ୍କ ସ୍ବାବ ଟେଷ୍ଟ କରାଯାଇ ନ ଥିଲା କିମ୍ବା ତାଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇ ନ ଥିଲା ା ଗତ ରବିବାର ଶ୍ରୀଧର ଅସୁସ୍ଥ ହୋଇପଡିବା ପରେ ଅଙ୍ଗନୱାଡି କର୍ମୀ ୧୦୪ ଆମ୍ବୁଲାନ୍ସ ଡକାଇ ବାଲେଶ୍ୱର ଜିଲା ମେଡିକାଲକୁ ପଠାଇଥିଲେ। କରୋନା ଭୟରେ ଶ୍ରୀଧରଙ୍କ ପରିବାରରୁ କାହାରିକୁ ନିଆଯାଇ ନ ଥିଲା। ପରେ ଅପରାହ୍ନରେ ଶ୍ରୀଧରଙ୍କ ମୃତ୍ୟୁ ଘଟିଥିବା ସୂଚନା ଦିଆଯିବା ସହିତ ମେଡିକାଲ ଗାଡି ଆସି ଶ୍ରୀଧରଙ୍କ ପତ୍ନୀ କବିତାଙ୍କୁ ନେଇଯାଇଥିଲା ା ଏ ସମ୍ପର୍କରେ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ପଣ୍ଡାଙ୍କୁ ପଚାରିବାରୁ ଶ୍ରୀଧର ଜଣ୍ଡିସ ସହିତ ହେପାଟାଇଟିସ କୋମାରେ ମୃତ୍ୟୁବରଣ କରିଥିବା କହିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ସସ୍ମିତା ଦାସଙ୍କୁ ପଚାରିବାରୁ ଶ୍ରୀଧର ହୋମ କ୍ୱାରାଣ୍ଟାଇନରେ ଥିଲେ ା ସେ ସୁସ୍ଥ ଥିବାରୁ ତାଙ୍କ ସ୍ବାବ ଟେଷ୍ଟ କରାଯାଇ ନ ଥିବା କହିଛନ୍ତି।

Share