Categories: ଫୁରସତ

ସବୁଠୁ ଛୋଟ ଭ୍ରମଣକାରୀଙ୍କ ୨୩ ଦେଶ ଭ୍ରମଣ

ୱିଲିଂଟନ୍‌: ସାଧାରଣତଃ ମା’-ବାପା ଅତି ଛୋଟ ପିଲାଙ୍କୁ ବାହାରକୁ ନେଇ ଯାଇ ନ ଥାନ୍ତି। ହେଲେ ନ୍ୟୁଜିଲାଣ୍ଡର ଏକ ଦମ୍ପତି ତାଙ୍କ ୧୧ ମାସର ଶିଶୁକୁ ନେଇ ବିଶ୍ୱ ବୁଲିବାରେ ଲାଗିଛନ୍ତି। ତେବେ ଦୁନିଆର ସବୁଠୁ ଛୋଟ ଭ୍ରମଣକାରୀ ଭାବେ ଆଟଲାସ୍‌ ମାଣ୍ଟଗୋମେରି ଏଥି ମଧ୍ୟରେ ୨୩ଟି ଦେଶ ବୁଲିସାରିଲାଣି। ୨୯ ବର୍ଷୀୟ ବେକ୍ସ ଲୁଇସ୍‌ ଏବଂ ୩୧ ବର୍ଷୀୟ ୱିଲ ମାଣ୍ଟଗୋମେରିଙ୍କ ସ୍ବପ୍ନ ପୂରା ବିଶ୍ୱ ବୁଲିବା, ଯାହାକୁ ସେ ଶୀଘ୍ର ପୂରଣ କରିବାକୁ ଯାଉଛନ୍ତି। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଦମ୍ପତି ପ୍ରତିଦିନ କେବଳ ୪ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୩୩୦ ଟଙ୍କାରେ ଖାଦ୍ୟ ଖାଇବା ସହ ବହୁତ କମ୍‌ ଖର୍ଚ୍ଚରେ ବୁଲୁଛନ୍ତି। ପିଲାଙ୍କୁ ନେଇ ବାହାରକୁ ଯିବାରେ ଅସୁବିଧା ହୋଇଥାଏ। ହେଲେ ଏହି ଦମ୍ପତି ତାଙ୍କ ୬ ସପ୍ତାହର ଶିଶୁକୁ ନେଇ ବିଶ୍ୱ ବୁଲିବାକୁ ଆରମ୍ଭ କରିଥିଲେ। କେବଳ ୧୧ ମାସ ମଧ୍ୟରେ ଉକ୍ତ ଶିଶୁ ୨୩ ଦେଶ ବୁଲିଥିବା ସେମାନେ କହିଛନ୍ତି। ଯେତେବେଳେ ଲୁଇସ୍‌ ମାଟର୍ନିଟି ଛୁଟିରେ ଥିଲେ, ସେତେବେଳେ ସେମାନେ ବିଶ୍ୱ ଭ୍ରମଣ ପାଇଁ ବାହାରିଥିଲେ। ସେତେବେଳେ ଆଟଲାସ୍‌କୁ ମାତ୍ର ୬ ସପ୍ତାହ ହୋଇଥିଲା। ଲୁଇସ୍‌ କହିଛନ୍ତି, ଆଟଲାସ୍‌ ସବୁଠୁ ଛୋଟ ଶିଶୁ, ଯିଏ ଏତେ କମ୍‌ ବୟସରେ ଏତେ ସ୍ଥାନ ବୁଲିପାରିଛି। ସେମାନେ ଯେତେବେଳେ ନୌକାରେ ଯାଉଥିଲେ, ଆଟଲାସ୍‌ର ସେତେବେଳେ ଦାନ୍ତ ଉଠିବା ଦେଖିଥିଲେ। ପରେ ସେ ଫ୍ରାନ୍ସରେ ଖାଦ୍ୟ ଖାଇବା ଆରମ୍ଭ କରିଥିଲା। ସେମାନେ ତାଙ୍କ ଭ୍ୟାନ୍‌ ସାହାଯ୍ୟରେ ୟୁରୋପର ଅଧିକାଂଶ ଦେଶ ଭ୍ରମଣ କରିସାରିଲେଣି। ଏ ପର୍ଯ୍ୟନ୍ତ ସେମାନେ ଇଟାଲୀ, ଡେନମାର୍କ, ଅଷ୍ଟ୍ରିଆ, ଚିକିଆ, ସ୍ବିଡେନ, ନର୍‌ୱେ, ସ୍ଲୋଭେନିଆ, ସୁଇଜରଲାଣ୍ଡ, ପୋଲାଣ୍ଡ, ନେଦରଲାଣ୍ଡ, ଜର୍ମାନୀ, ଫ୍ରାନ୍ସ, ସ୍କଟ୍‌ଲାଣ୍ଡ, ଇଂଲଣ୍ଡ, ସିଙ୍ଗାପୁର ଆଦି ସ୍ଥାନ ବୁଲିସାରିଲେଣି। ତାଙ୍କ ଯାତ୍ରା ଆରମ୍ଭ ଲୁଇସ୍‌ଙ୍କ ପରିବାରରୁ ଆରମ୍ଭ ହୋଇଥିଲା। ସେଠାରୁ ସେମାନେ ୧୪ ହଜାର ଡଲାର ଅର୍ଥାତ୍‌ ୧୧ ଲକ୍ଷ ୫୬ ହଜାର ଟଙ୍କାର ଏକ ଭ୍ୟାନ୍‌ କିଣିଲେ। ଏହାପରେ ସେମାନେ ତାଙ୍କ ଯାତ୍ରା ଆରମ୍ଭ କଲେ। ଲୁଇସ୍‌ଙ୍କ କହିବା ଅନୁସାରେ, ଭ୍ୟାନ୍‌ରେ ପର୍ଯ୍ୟାପ୍ତ ପରିମାଣର ଜାଗା ଅଛି। ତା’ ମଧ୍ୟରେ ସମସ୍ତ ପ୍ରକାରର ସୁବିଧା ମଧ୍ୟ ରହିଛି। ତାଙ୍କ ଯାତ୍ରା ସମାପ୍ତ ହେବା ବେଳକୁ ଦେଶ ସଂଖ୍ୟା ୨୫ରେ ପହଞ୍ଚତ୍ୟାଇଥିବ। ସେମାନେ ସବୁ ଦେଶର ଖାଦ୍ୟକୁ ମଧ୍ୟ ମନ ଭରି ଖାଇଥିଲେ। ଏଥିପାଇଁ ସେମାନେ ପୂର୍ବରୁ ବହୁତ ସଞ୍ଚୟ କରିଥିଲେ।

Share