୨୩ ଦିନରେ ପହଞ୍ଚିଲା ଆମରଣ ଅନଶନ

ଛତ୍ରପୁର,୩।୧୦(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅଧୀନ ଆର୍ଯ୍ୟପଲ୍ଲୀ ରାଜସ୍ବ ଗ୍ରାମବାସୀ ଜମି ପଟ୍ଟା ପ୍ରଦାନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଳିଥିବା ଆମରଣ ଅନଶନ ମଙ୍ଗଳବାର ୨୩ ଦିନରେ ପହଞ୍ଚିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଅପରପକ୍ଷେ ରବିବାର ଜୋରଜବରଦସ୍ତ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇ ଛତ୍ରପୁର ଥାନାକୁ ଆଣିଥିଲା । ପରେ ପୋଲିସ ଏକ ମାମଲା ରୁଜୁ କରି ଆନ୍ଦୋଳନକାରୀଙ୍କୁ ନୋଟିସ ଦେଇ ଛାଡିଥିଲା। ଏହାକୁ ଭାରତୀୟ ବିକାଶ ପରିଷଦ ଓ ଆନ୍ଦୋଳନକାରୀଙ୍କ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଆନ୍ଦୋଳନକାରୀଙ୍କୁ ଜୋରଜବରଦସ୍ତ ଉଠାଇଥିବା ସମ୍ପୃକ୍ତ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ଏନେଇ ଦକ୍ଷିଣାଞ୍ଚଳ ଆର୍‌ଡିସି, ଗଞ୍ଜାମ ଜିଲାପାଳ ଓ ଏସ୍‌ପି, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ହାଇକୋର୍ଟ ଓ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଚିଠି ଲେଖି ଅବଗତ କରାଯାଇଛନ୍ତି। ଏପରିକି ନ୍ୟାୟ ପାଇଁ ହାଇକୋର୍ଟର ଆଶ୍ରୟ ନେବେ ବୋଲି ପରିଷଦ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଭାରତୀୟ ବିକାଶ ପରିଷଦ ଓ ଆର୍ଯ୍ୟପଲ୍ଳୀ ପଞ୍ଚାୟତର ଲୋକେ ଅନଶନରେ ସାମିଲ ହୋଇଛନ୍ତି। ୧୯୭୫ରୁ ଆର୍ଯ୍ୟପଲ୍ଳୀ ପଞ୍ଚାୟତର ସାନ ଆର୍ଯ୍ୟପଲ୍ଲୀ, ବଡ ଆର୍ଯ୍ୟପଲ୍ଲୀ, କେ.ଆର୍ଯ୍ୟପଲ୍ଲୀ ଓ କତୁରୁଗାଁର ୧୮୦୦ ପରିବାରର ଲୋକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ପଟ୍ଟା ଦିଆଯାଇ ନାହିଁ। ଏନେଇ ଗ୍ରାମବାସୀ ସେପ୍ଟେମ୍ବର ୧୧ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି।