କରାଚୀ,୨୭ା୪: ପାକିସ୍ତାନ ସୁପର ଲିଗ (ପିଏସ୍ଏଲ୍)ର ପ୍ରଡକଶନ ଓ ବ୍ରଡକାଷ୍ଟ ଦଳର ଅଂଶଥିବା ୨୩ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପହଞ୍ଚାଇବା ଲାଗି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ରବିବାର ବ୍ୟବସ୍ଥା କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କ ଆହୁରି ଖରାପ ହୋଇଛି।
ପାକିସ୍ତାନ ସରକାର ପାକିସ୍ତାନରେ ଥିବା ଭାରତୀୟଙ୍କୁ ଚଳିତ ମାସ ୩୦ ତାରିଖ ସୁଦ୍ଧା ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପିଏସ୍ଏଲ୍ ମ୍ୟାଚର ପ୍ରଡକ୍ଶନ ଓ ବ୍ରଡକାଷ୍ଟ ଲାଗି ପାକିସ୍ତାନରେ ଥିବା ୨୩ ଭାରତୀୟଙ୍କୁ ପଠାଇ ଦିଆଯାଇଥିବା ପିସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଭାରତୀୟ କର୍ମଚାରୀମାନେ ଲାହୋରରୁ ଓ୍ବାଘା ସୀମା ଦେଇ ସ୍ବଦେଶ ଫେରିବେ ବୋଲି ଜଣେ ଅଧିକାରୀ କହିଛନ୍ତି। ପିଏସ୍ଏଲ୍ ମ୍ୟାଚ୍ର ପ୍ରଡ୍ୟୁସିଂ ଓ ବ୍ରଡକାଷ୍ଟିଂ ଦାୟିତ୍ୱରେ ଥିବା କମ୍ପାନୀ ଭାରତୀୟ କ୍ୟାମେରାମ୍ୟାନ ଓ ଟେକ୍ନିସିଆନ୍ସଙ୍କୁ ନିଯୁକ୍ତ କରିଥିଲା। ଭାରତୀୟମାନେ ଫେରି ଯାଇଥିବାରୁ ସେମାନଙ୍କ ସ୍ଥାନରେ ବିଦେଶୀ ଓ ସ୍ଥାନୀୟ କ୍ୟାମେରାମ୍ୟାନ ଓ ଟେକ୍ନିସିଆନ୍ସଙ୍କୁ ନିଯୁକ୍ତ କରାଯାଇଛି।


