କାବୁଲ୍,୨୧।୧୧: ଆଫଗାନିସ୍ତାନରେ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। କାବୁଲର ଓ୍ବଜିର ଆକବର ଖାଁ ଏବଂ ଶହର-ଇ-ନଓ୍ବା ଅଞ୍ଚଳରେ ଜନବସତି ଉପରେ ଆତଙ୍କବାଦୀମାନେ ୨୩ ରକେଟ ମାଡ଼ କରିଛନ୍ତି। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଅର୍ଜାନ କିମତ ଏବଂ ଚହଲ ସୁନୁତ ଅଞ୍ଚଳରେ ୨ଟି ଆଇଇଡ଼ି ବିସ୍ଫୋରଣ ହୋଇଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଇଇଡ଼ି ବିସ୍ଫୋରଣ ହେବାର କିଛି ମିନିଟ୍ ପରେ ସହରର ଚହର କାଲା, ଗୁଲ-ଇ-ସୁର୍ଖ, ସଦାରତ ଗୋଲ ରୋଡ୍, ସ୍ପିଞ୍ଜର ରୋଡ୍, ନ୍ୟାଶନାଲ ଆର୍କାଇଭ୍ ରୋଡ୍, ଲିସି ମରିୟମ୍, ପଞ୍ଜସାଦ୍ ପରିବାର ଆଦି ଅଞ୍ଚଳରେ ରକେଟ ମାଡ଼ ହୋଇଥିଲା। ଲୋକେ ଭୟରେ ଘରୁ ବାହାରି ଜୀବନ ବିକଳରେ ରାସ୍ତାରେ ଦୌଡ଼ିବାକୁ ଆରମ୍ଭ କରିଥିଲେ।