Categories: ଫୁରସତ

୨୪ ଘଣ୍ଟାରେ ୨୩ ହଜାର ଚାରାରୋପଣ

ଅଟାୱା: ବେଳକୁ ବେଳ ପୃଥିବୀରୁ ଜଙ୍ଗଲ ସଂଖ୍ୟା କମି କମି ଯାଉଛି। ଲୋକେ ଜଙ୍ଗଲ କାଟି ସେଠାରେ ବଡ଼ ବଡ଼ କୋଠା, କାରଖାନାମାନ ଠିଆ କରୁଛନ୍ତି। ତେବେ ବର୍ତ୍ତମାନ ସମୟରେ ପରିବେଶର ସୁରକ୍ଷା ନିତାନ୍ତ ଜରୁରୀ ହୋଇପଡ଼ିଲାଣି। ସେଥିପାଇଁ ଅନେକ ପରିବେଶବିତ୍‌ ପରିବେଶର ସୁରକ୍ଷା ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି। କାନାଡାର ଜଣେ ବ୍ୟକ୍ତି ପରିବେଶର ସୁରକ୍ଷା ପାଇଁ ନିଜର ବିଶେଷ ଅବଦାନ ଦେଇଛନ୍ତି। ସେ ୨୪ ଘଣ୍ଟା ମଧ୍ୟରେ ୨୩ ହଜାରରୁ ଊର୍ଦ୍ଧ୍ୱ ଗଛର ଚାରା ରୋପଣ କରିଥିବା ଜଣାପଡ଼ିଛି। ରିପୋର୍ଟ ମୁତାବକ, କାନାଡାର ଆଲବର୍ଟାର ଲାକ୍ରିଟି ଅଞ୍ଚଳର ବାସିନ୍ଦା ୨୪ ବର୍ଷୀୟ ଆଣ୍ଟୋନି ମୋସେସ୍‌ ଏକୁଟିଆ ୧୭ ଜୁଲାଇ ୨୦୨୧ରେ ୨୩,୦୬୦ଟି ଗଛ ଲଗାଇ ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକଡର୍‌ସରେ ନିଜ ନାମ ପୁଣି ଲେଖାଇଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ୨୦୦୧ରେ ୧୫,୧୭୦ ଗଛ ଲଗାଇ ରେକର୍ଡ କରିଥିଲେ। ଗୋଟିଏ ବର୍ଷ ମଧ୍ୟରେ ମୋସେସ୍‌ କାନାଡାରେ ୧.୩ ମିଲିୟନ୍‌ରୁ ଊର୍ଦ୍ଧ୍ୱ ଗଛର ଚାରା ରୋପଣ କରିଆସୁଛନ୍ତି। ଏନେଇ ମୋସେସ୍‌ ଗଛ ଲଗାଉଥିବାର ଏକ ଭିଡିଓ ଗିନିଜ୍‌ ରେକର୍ଡ ସୋସିଆଲ ମିଡିଆରେ ଶେୟାର କରିଛି। ସେଥିପାଇଁ ସେ ଗିନିଜ୍‌ ରେକର୍ଡକୁ ଧନ୍ୟବାଦ ଜଣାଇଛନ୍ତି। ସେ ଗଛ ଲଗାଇବାରେ ଦିନକୁ ୯ ଘଣ୍ଟା ସମୟ ଦେଇଥାନ୍ତି। ଏପର୍ଯ୍ୟନ୍ତ ସେ ପାଖାପାଖି ୮ ହଜାର ଚାରାରୋପଣ କରିସାରିଲେଣି। ଆମେ ସୁରକ୍ଷିତ ରହିବାକୁ ହେଲେ ପ୍ରକୃତିକୁ ସୁରକ୍ଷିତ ରଖିବାକୁ ପଡ଼ିବ ବୋଲି ମୋସେସ୍‌ କହିଛନ୍ତି।

Share