Categories: ଜାତୀୟ

ଜୀବନ ନେଲା ରିଲ୍ସ, ୩ ଶହ ଫୁଟ୍‌ ତଳକୁ ଖସିପଡ଼ିଲା କାର

ନୂଆଦିଲ୍ଲୀ, ୧୮।୬: ଦିନକୁ ଦିନ ରିଲ୍ସ ନିଶା ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଘାରିଛି । ଏହି ରିଲ୍ସ ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଉନହାନ୍ତି ଆଜିର ଯୁବପିଢ଼ି । ଏପରି ଏକ ଘଟଣା ଏବେ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ଗାଡ଼ି ଚାଳନା ଜାଣିନଥିବା ଜଣେ ୨୩ ବର୍ଷୀୟ ଯୁବତୀଙ୍କ ରିଲ୍ସ ନିଶା ତାଙ୍କ ଜୀବନ ନେଇଛି ।

ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରର ଶ୍ୱେତା ସରଭାସେ ଜୁନ୍‌ ୧୭ ତାରିଖ ଅର୍ଥାତ ସୋମବାର ଉପରବେଳା ଛତ୍ରପତି ଶିବାଜୀ ନଗର ଅଞ୍ଚଳରେ ରିଲ୍ସ କରିଥିଲେ । ସେ ତାଙ୍କ ସାଙ୍ଗଙ୍କ କାର ଚଳାଉଥିବା ବେଳେ ତାଙ୍କ ସାଙ୍ଗ ଏହାର ଭିଡିଓ ରେକର୍ଡିଂ କରୁଥିଲେ । ଏହି ସମୟରେ ଗାଡ଼ିଟି ରିଭର୍ସ ଗିୟରରେ ରହିଥିଲା । ଶ୍ୱେତା ବ୍ରେକ୍‌ ମାରିବା ପରିବର୍ତ୍ତେ ଆକ୍ସିଲେଟର ଜୋରରେ ଦାବିଥିଲେ । ଫଳରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ଏକ ୩୦୦ ଫୁଟ୍‌ ଗଭୀର ଖାଇକୁ ଖସିପଡ଼ିଥିଲା ।

ତେବେ ଏହି ସମୟର ଭିଡିଓ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି । ପୋଲିସ୍‌ ଏନେଇ କହିଛି ଯେ ଯୁବତୀଙ୍କ ନିକଟରେ ବହୁ କଷ୍ଟରେ ପହଞ୍ଚିବାକୁ ପଡ଼ିଥିଲା । ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Share