Categories: ଜାତୀୟ

ମାଙ୍ଗାଲୋରରେ ଯୁବକଙ୍କୁ ନିର୍ମମ ହତ୍ୟା: ୧୪୪ ଧାରା ଜାରି

ମାଙ୍ଗାଲୋର,୨୯।୮: କର୍ନାଟକର ମାଙ୍ଗାଲୋର ଜିଲାରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତି ତିକ୍ତ ହୋଇଥିବାର ଦେଖି ମାଙ୍ଗାଲୋର ଜିଲାର ସୁରଟକଳ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ସହରର ମୁସଲମାନମାନଙ୍କୁ ନିଜ ଘରେ ଶୁକ୍ରବାର ନମାଜ ପାଠ ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୁରତକଳ ଅଞ୍ଚଳରେ ଗୁରୁବାର ସାରେ ଜଣେ ୨୩ ବର୍ଷ ବୟସ୍କ ଫୈଜଲଙ୍କୁ ଚାରି-ପାଞ୍ଚ ଜଣ ଅଜ୍ଞାତ ସଶସ୍ତ୍ର ଆକ୍ରମଣକାରୀ ହତ୍ୟା କରିଥିଲେ। ଦୁଇ ଦିନ ପୂର୍ବେ ଦକ୍ଷିଣ କନ୍ନଡ ଜିଲାର ବେଲ୍ଲାରେ ଭାଜପା ନେତା ପ୍ରବୀଣ ନେଟାରୁଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଥିଲା। ତାଙ୍କ ଦୋକାନ ସମ୍ମୁଖରେ ତିନିଜଣ ବାଇକ ଚାଳକ ତାଙ୍କୁ ହତ୍ୟା କରିଥିଲେ। ମଙ୍ଗଳବାର ରାତିରେ ନେଟାରୁ ତାଙ୍କ ଦୋକାନ ବନ୍ଦ କରିବା ପରେ ଘରକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା।
ଜିଲାରେ ଚାଲିଥିବା ହତ୍ୟାକାଣ୍ଡ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ କହିଛନ୍ତି, ଆମ ପାଇଁ ସମସ୍ତ ଲୋକଙ୍କ ଜୀବନ ମୂଲ୍ୟବାନ। ଏହିସବୁ ହତ୍ୟା ଘଟଣାର ତଦନ୍ତ କରାଯାଉଛି। ଆମେ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

Share