Categories: ବାଣିଜ୍ୟ

୪ ଦିନରେ ୨୩,୦୦୦ ଆୟକର ରିଟର୍ନ, ପୋର୍ଟାଲରେ ଆଇଟିଆର ଫର୍ମ ଉପଲବ୍ଧ

ଭୁବନେଶ୍ୱର,୫।୪(ଅନୁରାଧା ମହାରଣା): ୨୦୨୩-୨୪ ଆର୍ଥିକ ବର୍ଷ ଏବଂ ମୂଲ୍ୟାଙ୍କନ ବର୍ଷ ୨୦୨୪-୨୫ ପାଇଁ ଆୟକର ରିଟର୍ନ ଦାଖଲ କରିବାର ପ୍ରକ୍ରିୟା ଏପ୍ରିଲ ପହିଲାରୁ ଆରମ୍ଭ ହୋଇଛି। ଗତ ଚାରି ଦିନ ମଧ୍ୟରେ ୨୩,୦୦୦ ଆୟକର ରିଟର୍ନ ଦାଖଲ କରାଯାଇଛି। ଆୟକର ବିଭାଗ ସୂଚନାନୁସାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ନ ଦାଖଲ ସହ ଜଡିତ ଫର୍ମଗୁଡିକ ଇ-ଦାଖଲ ପୋର୍ଟାଲରେ ଉପଲବ୍ଧ କରାଯାଇଛି ଏବଂ ଗତ ଚାରି ଦିନ ମଧ୍ୟରେ ପ୍ରାୟ ୨୩,୦୦୦ ଆୟକର ରିଟର୍ନ ଦାଖଲ କରାଯାଇଛି। ନିକଟ ଅତୀତରେ ପ୍ରଥମଥର ପାଇଁ ଆୟକର ବିଭାଗ ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରୁ ଟିକସଦାତାଙ୍କ ଆୟକର ରିଟର୍ନ ଦାଖଲ କରିବାକୁ ବ୍ୟବସ୍ଥା କାର୍ଯ୍ୟକାରୀ କରି ପୋର୍ଟାଲକୁ ସକ୍ଷମ କରିଛି। ଟିକସ ନିୟମ ଅନୁପାଳନ ଏବଂ ନିରବଚ୍ଛିନ୍ନ ଟିକସଦାତା ସେବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଆଇଟିଆର ଫର୍ମ ୧ (ସହଜ) ଏବଂ ଆଇଟିଆର ଫର୍ମ ୪ (ସୁଗମ) ବହୁ ସଂଖ୍ୟାରେ କ୍ଷୁଦ୍ର ଏବଂ ମଧ୍ୟମ ଟିକସଦାତାଙ୍କ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେଉଛି। ଆଇଟିଆର-୨ ଆବାସିକ ସମ୍ପତ୍ତିରୁ ଆୟ କରୁଥିବା ଲୋକଙ୍କ ଦ୍ୱାରା ଦାଖଲ କରାଯାଇଥାଏ। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ(ସିବିଡିଟି) ସୂଚନାନୁସାରେ ୨୦୨୪ ଏପ୍ରିଲ ୧ରୁ ୨୦୨୪-୨୫ (ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ) ମୂଲ୍ୟାଙ୍କନ ବର୍ଷ ପାଇଁ ଆଇଟିଆର ଦାଖଲ କରିବାକୁ ଟିକସଦାତାଙ୍କୁ ଏହି ସୁବିଧା ପ୍ରଦାନ କରିଛି।

ସାଧାରଣତଃ ଟିକସଦାତା ବ୍ୟବହାର କରୁଥିବା ଆଇଟିଆର-୧, ଆଟିଆର-୨ ଏବଂ ଆଇଟିଆର-୪ ଟିକସଦାତାମାନଙ୍କ ପାଇଁ ରିଟର୍ନ ଦାଖଲ କରିବା ଲାଗି ଇ-ଫାଇଲ ପୋର୍ଟାଲରେ ଉପଲବ୍ଧ ହୋଇଛି। ସିବିଡିଟି କହିଛି ଯେ, କମ୍ପାନୀଗୁଡିକ ଏପ୍ରିଲ ୧ରୁ ଆଇଟିଆର-୬ ମାଧ୍ୟମରେ ସେମାନଙ୍କର ଆଇଟିଆର ମଧ୍ୟ ଦାଖଲ କରିପାରିବେ। ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ଟିକସଦାତାମାନେ ସହଜ ଫର୍ମ ମାଧ୍ୟମରେ ଆଇଟିଆର ଦାଖଲ କରିପାରିବେ। ଏହି ଆୟ ବେତନ, ଘରର ସମ୍ପତ୍ତି, ସୁଧ ପରି ଅନ୍ୟାନ୍ୟ ଆୟର ଉତ୍ସ ହୋଇପାରେ ।

ବ୍ୟକ୍ତି, ହିନ୍ଦୁ ଅବିଭାଜିତ ପରିବାର ଏବଂ ସଂସ୍ଥା (ଏଲ୍‌ଏଲ୍‌ପି ବ୍ୟତୀତ)ଙ୍କ ଦ୍ୱାରା ସୁଗମ ଫର୍ମ ଦାଖଲ କରାଯାଇପାରିବ, ଯାହାର ବ୍ୟବସାୟ ଏବଂ ବୃତ୍ତିରୁ ମୋଟ ଆୟ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିବ। ସିବିଡିଟି ପୂର୍ବରୁ ଆଇଟିଆର ଫର୍ମକୁ ସୂଚିତ କରିସାରିଛ। ସିବିଡିଟି କହିଛି ଯେ, ଆଇଟିଆର ୩, ୫ ଏବଂ ୭ ଫର୍ମ ଦାଖଲ କରିବାର ସୁବିଧା ମଧ୍ୟ ଶୀଘ୍ର କରଦାତାମାନଙ୍କ ପାଇଁ ଉପଲବ୍ଧ ହେବ।

Share