୨୩୧ ବର୍ଷର ବନ୍ଧୁକ ସଂସ୍କୃତି, ନିୟନ୍ତ୍ରଣ କରିବାରେ ସରକାର ବିଫଳ…

ଓ୍ବାଶିଂଟନ,୧୮।୭ : ଆମେରିକାରେ ଗୁଳିକାଣ୍ଡ ଥମିବାର ନା ଧରୁନି। ଦେଶରେ ଜାରି ରହିଥିବା ବନ୍ଧୁକ ସଂସ୍କୃତି ଯୋଗୁ ଏଭଳି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସମୟରେ ଏଭଳି ଘଟଣାରେ ବହୁ ଧନ ଜୀବନର ହାନି ଘଟୁଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ ଏନେଇ ଆଇନ ଆଣିବାର ପ୍ରୟାସ କରିଛନ୍ତି। ମାତ୍ର ଏଭଳି ଘଣଟାରେ ନିୟନ୍ତ୍ରଣ ଆଣିବାରେ ସରକାର ବିଫଳ ରହିଛନ୍ତି।

ଦେଶରେ ବନ୍ଧୁକ ସଂସ୍କୃତିର ଇତିହାସ ପ୍ରାୟ ୨୩୧ ବର୍ଷ ପୁରୁଣା। ୧୭୯୧ରେ ସମ୍ବିଧାନର ଦ୍ୱିତୀୟ ସଂଶୋଧନରେ ଆମେରିକୀୟ ନାଗରିକମାନଙ୍କୁ ଅସ୍ତ୍ରଶସ୍ତ୍ର ରଖିବା ଏବଂ କ୍ରୟ କରିବାର ଅଧିକାର ଦିଆଯାଇଥିଲା। ଏହି ସଂସ୍କୃତି ଆମେରିକାରେ ଆରମ୍ଭ ହୋଇଥିଲା ଯେତେବେଳେ ବ୍ରିଟିଶମାନେ ସେଠାରେ ଶାସନ କରୁଥିଲେ। ସେତେବେଳେ କୌଣସି ସ୍ଥାୟୀ ସୁରକ୍ଷା ବଳଙ୍କର ବ୍ୟବସ୍ଥା ନ ଥିଲା। ସେଥିପାଇଁ ଲୋକଙ୍କୁ ନିଜ ତଥା ପରିବାରର ସୁରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ରଖିବାର ଅଧିକାର ଦିଆଯାଇଥିଲା।

କିନ୍ତୁ ଆମେରିକାର ଜାରି ରହିଥିବା ଏହି ନିୟମ ଯୋଗୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଆମେରିକାରେ ଶହ ଶହ ଷ୍ଟୋର, ଶପିଂ ଆଉଟଲେଟ ଏବଂ ଛୋଟ ଦୋକାନ ଅଛି ଯେଉଁଠାରେ ବନ୍ଧୁକ ବିକ୍ରି ହୁଏ। ଆମେରିକାରେ ପ୍ରତ୍ୟେକ ସପ୍ତାହରେ ବିଭିନ୍ନ ସ୍ଥାନରେ ବନ୍ଧୁକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥାଏ। ସେଠାରେ ୱାଲମାର୍ଟ ପରି ବଡ କମ୍ପାନୀର ଷ୍ଟୋରରୁ ଆରମ୍ଭ କରି ଛୋଟ ଦୋକାନ ପର୍ଯ୍ୟନ୍ତ ସବୁଠାରେ ବନ୍ଧୁକ ବିକ୍ରି ହୋଇଥାଏ। ଦେଶରେ ଯେକୌଣସି ସାଧାରଣ ବ୍ୟକ୍ତି ସହଜରେ ବନ୍ଧୁକ କିଣି ପାରିବେ।

ଅସ୍ତ୍ରଶସ୍ତ୍ରର ଏହି ଖୋଲା କାରବାରରେ କୌଣସି ଅନୁସନ୍ଧାନ କରାଯାଏ ନାହିଁ। ଦୋକାନରୁ ବନ୍ଧୁକ କିଣିବା ପରେ ହିଁ ଯାଞ୍ଚ୍‌ କରାଯାଏ। ବନ୍ଧୁକ କିଣିବା ସମୟରେ କ୍ରେତାଙ୍କୁ ଏକ ଫର୍ମରେ ନାମ, ଠିକଣା, ଜନ୍ମ ତାରିଖ ଏବଂ ନାଗରିକତା ପ୍ରଦାନ କରିବାକୁ ପଡିଥାଏ। ଆମେରିକାର ଗୁପ୍ତଚର ଏଜେନ୍ସି ବନ୍ଧୁକ ବିକ୍ରେତାଙ୍କ କ୍ରେତାଙ୍କ ସୂଚନା ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ (ଏଫବିଆଇ)କୁ ପ୍ରଦାନ କରିଥାଏ, ଯାହା ବନ୍ଧୁକ କ୍ରେତାଙ୍କ ପୃଷ୍ଠଭୂମି ଯାଞ୍ଚ କରିଥାଏ।

Share