ନୂଆଦିଲ୍ଲୀ, ୨୩।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୬ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬ ଛୁଇଁଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ରହିଛି। ଦିଲ୍ଲୀର ଆକ୍ରାନ୍ତଙ୍କ ସଂଖ୍ୟା ୬୪ରେ ପହଞ୍ଚିଛି। ସେହିପରି ତେଲେଙ୍ଗାନାରେ ୨୪, ରାଜସ୍ଥାନରେ ୨୧, କର୍ନାଟକରେ ୧୯, କେରଳରେ ୧୫, ଗୁଜୁରାଟରେ ୧୪, ଜମ୍ମୁ-କଶ୍ମୀରରେ ୩, ଓଡ଼ିଶାରେ ୨, ଉତ୍ତରପ୍ରଦେଶରେ ୨, ଆନ୍ଧ୍ରପ୍ରଦେଶରେ ୨, ଚଣ୍ଡିଗଡ଼ରେ ୧, ଲଦାଖରେ ୧, ତାମିଲନାଡୁରେ ୧, ପଶ୍ଚିମବଙ୍ଗରେ ୧ ଏବଂ ଉତ୍ତରାଖଣ୍ଡରେ ଜଣଙ୍କୁ ଚିହ୍ନଟ କରାଯାଇଛି।
ସେହିପରି ଇତିମଧ୍ୟରେ ୧୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଭଳି ପରିସ୍ଥିତିରେ, ପୁଣି କଟକଣା ଲାଗୁ କରାଯାଇଛି। ଭିଡ଼ ଯୋଗୁ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ନୂଆ ବର୍ଷ ଏବଂ ବଡ଼ଦିନ ନୂଆ ଅସୁବିଧା ଆଣିବାର ଆଶଙ୍କା ରହିଥିବାରୁ ଏନେଇ ମଧ୍ୟ କଟକଣା ଜାରି କରାଯାଇଛି।