ବାରିପଦା ଅଫିସ,୬।୬- କୋଭିଡ୍-୧୯ର ରାଜ୍ୟ ପର୍ଯ୍ୟବେକ୍ଷକ ତଥା ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର ଶୁକ୍ରବାର ମୟୂରଭଞ୍ଜ ଜିଲା ଗସ୍ତ କରିଥିଲେ। ସେ ଜିଲାର ବେତନଟୀ ଓ ବଡ଼ସାହି ବ୍ଲକର ବିଭିନ୍ନ ଅଞ୍ଚଳରେ ହୋଇଥିବା ଅସ୍ଥୀୟୀ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରି ସେଠାରେ କିପରି ଭାବେ କେନ୍ଦ୍ର ପରିଚାଳିତ ହେଉଛି ତାହାର ସ୍ଥିତି ସମୀକ୍ଷା କରିଥିଲେ। ଅପରାହ୍ନରେ ଜିଲା ପ୍ରଶାସନର ବିଭିନ୍ନ ଅଧିକାରୀଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ କରିଥିଲେ। ଜିଲାରେ କୋଭିଡ୍-୧୯ର କିପରି ମୁକାବିଲା କରାଯାଉଛି ସେ ନେଇ ଆଲୋଚନା କରିଥିଲେ। ଜିଲାପାଳ ବିନୀତ ଭରଦ୍ୱାଜ ଜିଲାର ବିଭିନ୍ନ ସ୍ଥିତି ବିଷୟରେ କହିଥିଲେ। ପ୍ରବାସୀ ଶ୍ରମିକମାନଙ୍କୁ ଏମ୍ଜିଏନ୍ଆରଜିଏସ୍, ଉଦ୍ୟାନ କୃଷି ଆଦି କାର୍ଯ୍ୟକ୍ରମ ଜରିଆରେ କାର୍ଯ୍ୟ ଯୋଗାଇ ଦେବା ପାଇଁ ସଚିବ ନିର୍ଦ୍ଦେଶ ଦେଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ଏମ୍ଜିଏନ୍ଆରଜିଏସ୍ରେ ଶ୍ରମିକମାନଙ୍କୁ କାମ ଦିଆଯାଇଥିବା ନେଇ ସୂଚନା ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି ସମୀକ୍ଷା ବୈଠକରେ ଜିଲାସ୍ତରୀୟ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।