ଦୁର୍ଘଟଣା ପରେ ଗ୍ୟାସ୍‌ ଟ୍ୟାଙ୍କରରେ ବଡ଼ ଧରଣର ବିସ୍ଫୋରଣ: ୨୪ ମୃତ, ୨୦ଜଣଙ୍କ ଅବସ୍ଥା ଗୁରୁତର

ପୋର୍ଟ-ଅଉ-ପ୍ରିନ୍ସ,୧୫ା୯: ହାଇତିର ଦକ୍ଷିଣ ଭାଗରେ ଶନିବାର ଏକ ଗ୍ୟାସ୍‌ ଟ୍ୟାଙ୍କରରେ ବିସ୍ଫୋରଣ ଘଟି ୨୪ ଜଣଙ୍କ ମୃତ୍ୟୁ ହେବା ସହ ୪୦ଜଣ ପୋଡ଼ିଯାଇ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମିରାଗୋଆନେ ଉପକୂଳ ସହର ନିକଟରେ ଏହି ଦୁର୍ଘଟଣା ଘଟିଛି। ହାଇତି ପ୍ରଧାନମନ୍ତ୍ରୀ ଗାରି କୋନିଲେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଗୁରୁତର ଆହତଙ୍କୁ ହେଲିକପ୍ଟର ଯୋଗେ ସ୍ବତନ୍ତ୍ର ଚିକିତ୍ସା ପାଇଁ ପଠାଯାଇଛି। ଅନ୍ୟମାନେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅଧିକାଂଶ ପୁରୁଷ ହୋଇଥିବା ବେଳେ ୩ ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଅନ୍ୟ ଏକ ଗାଡ଼ି ଧକ୍କାରେ ଗ୍ୟାସ୍‌ ଟାଙ୍କିରେ ଛିଦ୍ର ହୋଇଯାଇଥିଲା। ଲୋକେ ଇନ୍ଧନ ସଂଗ୍ରହ ପାଇଁ ସେଠାକୁ ଯାଇଥିବା ବେଳେ ବିସ୍ଫୋରଣ ଘଟିଥିଲା। ୨୦୨୧ରେ କାପ୍‌-ହାଇତିଆନ୍‌ ସହରରେ ଅନୁରୂପ ଭାବେ ଟ୍ୟାଙ୍କରରୁ ଲୋକେ ଇନ୍ଧନ ସଂଗ୍ରହ ଉଦ୍ୟମ କରୁଥିବା ବେଳେ ବିସ୍ଫୋରଣ ଘଟି ଅନୂ୍ୟନ ୬୦ ଜଣଙ୍କ ଜୀବନ ଯାଇଥିଲା।

Share