ଯୋଡ଼ା,୨୮ା୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାର ୬ ନଂ. ୱାର୍ଡ ବାଚୁହଟିଂ ନିକଟରେ ୨୪ ଟିକିଆ ହାତୀପଲ ରହିଥିବା ଦେଖିବାକୁ ମିଳିଛି। ସୋମବାର ସକାଳ ସମୟରେ ବାଚୁହାଟିଂ ନିକଟ ରେଳ ଲାଇନ କଡ଼ରେ ହାତୀପଲଙ୍କୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ରେଳ ଲାଇନ୍ର ଗୋଟିଏ ପାର୍ଶ୍ୱରେ ପୌରପାଳିକାର ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ଥିବା ସହ ଲୋକମାନେ ନିକଟରେ ବସବାସ କରନ୍ତି। ଏଭଳି ସ୍ଥିତିରେ ଏଠାରେ ସକାଳ ସମୟରେ ଲୋକମାନେ ହାତୀପଲ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ପହଞ୍ଚତ୍ ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ଯୋଡ଼ା ଫରେଷ୍ଟର୍ ଅନିରୁଦ୍ଧ ପଣ୍ଡା କହିଛନ୍ତି, ଗତ କିଛି ଦିନ ହେବ ଏହି ଅଞ୍ଚଳରେ ୨୪ ଟିକିଆ ହାତୀପଲ ଚଳପ୍ରଚଳ କରୁଛନ୍ତି। ଏଯାଏ କୌଣସି କ୍ଷୟକ୍ଷତି କରି ନାହାନ୍ତି। ହାତୀପଲ ରେଳ ଧାରଣା ଅତିକ୍ରମ କରି ନିକଟରେ ଥିବା ସୁନା ନଦୀକୁ ପାଣି ପିଇବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗକୁ ରେଳ ଗାଡ଼ିର ଗତିକୁ ନିୟନ୍ତ୍ରଣ କରିବା ପାଇଁ ସୂଚନା ଦିଆଯାଇଛି ବୋଲି ସେ କହିଥିଲେ।