Categories: ବାଣିଜ୍ୟ

୨୪,୯୬୫ କୋଟି ନିବେଶ କଲେଣି ବିଦେଶୀ ନିବେଶକ

ନୂଆଦିଲ୍ଲୀ,୨୨।୨: ଭାରତୀୟ ପୁଞ୍ଜି ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ନିବେଶ ବଢିଚାଲିଛି। ଏହି ବର୍ଗର ନିବେଶକ ଚଳିତ ମାସ ଅଦ୍ୟାବଧି ସୁଦ୍ଧା ପୁଞ୍ଜି ବଜାରରେ ୨୪,୯୬୫ କୋଟି ଟଙ୍କା ନିବେଶ କଲେଣି। ସାଧାରଣ ବଜେଟରେ ରହିଥିବା ପ୍ରସ୍ତାବ ଏବଂ ଘରୋଇ ବଜାର ଉଚ୍ଚ ଅଭିବୃଦ୍ଧି ହାସଲ କରିବ ବୋଲି ଆଶା କରାଯାଉଥିବାରୁ ଏହାର ଉତ୍ତମ ପ୍ରଭାବ ବିଦେଶୀ ନିବେଶକଙ୍କ ଉପରେ ପଡିଛି। ଷ୍ଟକ ବଜାର ଡିପୋଜିଟୋରି ଡାଟା ମୁତାବକ, ଏହି ନିବେଶକମାନେ ଇକ୍ୱିଟିରେ ୨୪,୨୦୪ କୋଟି ଟଙ୍କା ନିବେଶ କରିଛନ୍ତି। ସେହିଭଳି ଡେଟ୍‌ ସେଗମେଣ୍ଟରେ ନିବେଶକ ୭୬୧ କୋଟି ଲଗାଇଛନ୍ତି। ମୋଟ ଉପରେ ନିବେଶ ୨୪,୯୬୫ କୋଟି ଟଙ୍କା ଛୁଇଁଛି। ଏହା ପୂର୍ବ ମାସରେ ଏଫ୍‌ପିଆଇ ନିବେଶ ୧୪,୬୪୯ କୋଟି ଟଙ୍କା ରହିଥିଲା। ଏହି ପରିପ୍ରେକ୍ଷୀରେ ଗ୍ରୋ କମ୍ପାନୀର ସିଓଓ ହର୍ଷ ଜୈନ କହିଛନ୍ତି, ଘରୋଇ ବଜାରର ଅଭିବୃଦ୍ଧି ଆସନ୍ତା ଆର୍ଥତ୍କ ବର୍ଷରେ ଉନ୍ନତ ରହିବ ବୋଲି ନିବେଶକ ଆଶା କରୁଛନ୍ତି। ଅନ୍ତର୍ଜାତୀୟ ବଜାରକୁ ନେଇ ମଧ୍ୟ ନିବେଶକ ବେଶ ଆଶାବାଦୀ ରହିଛନ୍ତି। ସେହିଭଳି ଏଲ୍‌କେପି ସିକ୍ୟୁରିଟିଜର ରିସର୍ଚ୍ଚ ମୁଖ୍ୟ ଏସ୍‌.ରଙ୍ଗନାଥନ କହିଛନ୍ତି, ଭାରତୀୟ ବଜାରରେ ନିବେଶ ନେଇ ଏଫ୍‌ପିଆଇ ବେଶ ଆଶାବାଦି। ୨୦୨୧ରେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ହୋଇପାରିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଆକଳନ କରିଛି। ମୋଟାମୋଟି ଭାବେ କହିବାକୁ ଗଲେ ବିଦେଶୀ ନିବେଶକ ବଜାର ଉପରେ ଆଶା ଉନ୍ନତ ରହିଥିବାରୁ ନିବେଶ ବଢାଉଛନ୍ତି।

Share