Categories: ଜାତୀୟ

ବଢିଲା ଚାଇନାର ଚିନ୍ତା

ବିଶାଖାପଟନମ୩ ।୧୧: ପୂର୍ବ ଲଦ୍ଦାଖରେ ଭାରତ-ଚାଇନା ସୀମା ବିବାଦ ଲାଗି ରହିଥିବା ବେଳେ ମଙ୍ଗଳବାର ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ମାଲାବାର ନୌସେନା ଅଭ୍ୟାସର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଛନ୍ତି । ବଙ୍ଗୋପସାଗର ଉପକୂଳ ବିଶାଖାପଟନମରେ ଏହା ଆରମ୍ଭ କରାଯାଇଛି । ଏହି ଅଭ୍ୟାସ ଉକ୍ତ ୪ ଦେଶର ରଣନୀତିକୁ ନେଇ ଥିବା ସମ୍ପର୍କକୁ ଦର୍ଶାଉଛି । ଏହା ୩ ଦିନ ପର୍ଯ୍ୟନ୍ତ ଚାଲି ଶୁକ୍ରବାର ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ଏହି ୪ ଦେଶର ନୌସେନା ଅଭ୍ୟାସ ପୁଣିଥରେ ବା ଦ୍ୱିତୀୟ ଥର ୧୭-୨୦ ନଭେମ୍ବର ମଧ୍ୟରେ ଆରବ ସାଗରରେ ହେବ । ଗତ ସପ୍ତାହରେ ଭାରତ ଘୋଷଣା କରିଥିଲା କି ଅଷ୍ଟ୍ରେଲିଆ ବି ଏଥିରେ ଯୋଗ ଦେବ । ଯାହାକୁ ନେଇ ଆମେରିକା ସହମିତି ପ୍ରକାଶ କରିଥିଲା । ଏବେ ଏହି ନୌସେନା ଅଭ୍ୟାସକୁ ଦେଖି ଚାଇନାର ଚିନ୍ତା ବଢିଯାଇଛି । ଚାଇନାର ଆକ୍ରମଣାତ୍ମକ ମନୋଭାବକୁ ଦେଖି ଆମେରିକା ସୁରକ୍ଷା ଯୋଗାଇ ଦେବ ବୋଲି ଜଣାପଡିଛି । ଏହି ଅଭ୍ୟାସରେ ଭାରତୀୟ ନୌସେନାର ରଣବିଜୟ, ଯୁଦ୍ଧ ଜାହାଜ ଶିବାଲିକ, ନୌକା ସୁକନ୍ୟା, ବୁଡା ଜାହାଜ ସିନ୍ଧୁରାଜ ଆଦି ସାମିଲ ହେବେ ।

Share