ପେଶାଓ୍ବର ପରେ ପାକିସ୍ତାନରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ

ଇସ୍‌ଲାମାବାଦ୍‌,୧।୨: ପାକିସ୍ତାନର ସମସ୍ୟା ଥମିବାର ନାମ ନେଉନି। ଗୋଟିଏ ପଟେ ଅର୍ଥନୈତିକ ସଙ୍କଟ ଏବଂ ଅନ୍ୟ ପଟେ ଆତଙ୍କବାଦ ଦେଶର ମେରୁ ହାଡ଼ ଭାଙ୍ଗିଦେଇଛି। ବର୍ତ୍ତମାନ ଦେଶ ପେଶାଓ୍ବର ଆକ୍ରମଣକୁ ଭୁଲି ନ ଥିବା ବେଳେ ପୁଣି ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥର ଆତଙ୍କବାଦୀମାନେ ପୋଲିସ ଷ୍ଟେସନକୁ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ରାତିରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ମିଆନୱାଲି ଜିଲାର ଏକ ପୋଲିସ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ପୋଲିସର ସୂଚନାନୁସାରେ, ୨୦ରୁ ୨୫ ଜଣ ସଶସ୍ତ୍ର ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ। କିନ୍ତୁ ଉଭୟ ପଟୁ ହୋଇଥିବା ପ୍ରବଳ ଗୁଳି ବିନିମୟ ପରେ ଆତଙ୍କବାଦୀମାନେ ସେଠାରୁ ଫେରାର ହୋଇଯାଇଥିଲେ। ପାକିସ୍ତାନ ପୋଲିସ ଆତଙ୍କବାଦୀଙ୍କ ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରିଛି। ଆତଙ୍କବାଦୀ ଆକ୍ରମଣକୁ ବିଫଳ କରିଥିବା ପାଇଁ ପଞ୍ଜାବର ଇନ୍ସପେକ୍ଟର ଜେନେରାଲ ପୋଲିସ (ଆଇଜିପି) ଡକ୍ଟର ଉସ୍‌ମାନ ଅନୱର ପୋଲିସ ଷ୍ଟେସନର ଏସ୍‌ଏଚ୍‌ଓଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପଟେ ଆକ୍ରମଣ ପରେ ଜିଲା ମୁଖ୍ୟାଳୟ ଡାକ୍ତରଖାନାକୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।

Share