୨୫ବୁଥ୍‌ ଅତିଉତ୍ତେଜନା, ୧୫୨ ଉତ୍ତେଜନା ପ୍ରବଣ

ଝାରସୁଗୁଡ଼ା ଅଫିସ,୨୫ା୧: ଝାରସୁଗୁଡା ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଶାନ୍ତିପୂର୍ଣ୍ଣ ଭାବେ ହେବ ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଡିଏମ୍‌ଏଫ୍‌ ସମ୍ମିଳନୀ କକ୍ଷରେ ସୋମବାର ଜିଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ବାଚନ ଆଚରଣବିଧି ଓ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରିବା ଉପରେ ଗୁରତ୍ୱାରୋପ କରାଯାଇଥିଲା। ଆଇନ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସ୍ପଷ୍ଟ କରିଥିଲେ।

ଜିଲାରେ ମୋଟ ୨୨୩୮ ନାମାଙ୍କନ ଦାଖଲ ହୋଇଥିବା ବେଳେ ୨୧୭୯ କାଏମ ରହିଛି। ମୋଟ ୯୩୬ ବୁଥ୍‌ ମଧ୍ୟରୁ ୨୫ ଅତିଉତ୍ତେଜନା ଓ ୧୫୨ ଉତ୍ତେଜନା ପ୍ରବଣ ଚିହ୍ନଟ ହୋଇଛି। ଏହିସବୁ ବୁଥ୍‌ରେ ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ କହିଛନ୍ତି। ବୈଠକରେ ଜିଲା ନିର୍ବାଚନ ପର୍ଯ୍ୟବେକ୍ଷକ ଇନ୍ଦ୍ରମଣି ତ୍ରିପାଠୀ, ଏସ୍‌ପି ବିକାଶ ଚନ୍ଦ୍ର ଦାସ, ପିଡି ଡିଆର୍‌ଡିଏ ତପିରାମ ମାଝି, ଉପଜିଲାପାଳ ଶିବ ଟପ୍ପୋ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯୋଗେନ୍ଦ୍ର ମାଝି, ବିଜେଡିର ତ୍ରିନାଥ ଗୁଆଲ, କଂଗ୍ରେସର ମନିଷ ବାଜପେୟୀ ଓ ଭାଜପାର ସତ୍ୟ ନାରାୟଣ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ।

Share