ବର୍ଷକରେ ୨୫ କୋଟିର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର,୧।୧(ବ୍ୟୁରୋ):କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ)କୁ ୨୦୨୦ରେ ଅନେକ ସଫଳତା ମିଳିଛି। ବାଘଛାଲଠାରୁ ଆରମ୍ଭ କରି ବଜ୍ରକାପ୍ତା ଚାଲାଣ ଓ ବନ୍ଧୁକ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି ଏସ୍‌ଟିଏଫ୍‌। ରାଜଧାନୀରୁ କୋରାପୁଟ ପର୍ଯ୍ୟନ୍ତ ସାରା ରାଜ୍ୟରେ ଚଢାଉ କରି ବ୍ରାଉନସୁଗାର ଓ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ମୋଟ ୭୩ ମାମଲାରେ ୧୪୦ଜଣଙ୍କୁ ଗିରଫ କରିଛି।
ଏସ୍‌ଟିଏଫ୍‌ ପକ୍ଷରୁ ଗୁରୁବାର ଜାରି ତଥ୍ୟ ଅନୁସାରେ, ଧଳା ଜହରର ଭୂସ୍ବର୍ଗ ପାଲଟିଥିବା ବାଲେଶ୍ୱରରେ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଥିଲା। ଏହାପରେ ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରାୟ ୨୫ କିଗ୍ରା ବ୍ରାଉନ୍‌ସୁଗାର ଜବତ କରିଥିଲା, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୫ କୋଟି ଟଙ୍କା ହେବ। ଏଥିସହିତ ବିଭିନ୍ନ ଜିଲାରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ କରିଥିଲା। ଅନ୍ୟପକ୍ଷେ ବନ୍ୟଜନ୍ତୁ ଚାଲାଣ ଉପରେ ରୋକ୍‌ ଲଗାଇବାକୁ ୨୦୨୦ରେ ଏସ୍‌ଟିଏଫ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯାଇଥିଲା। ଏଥିରେ ଅସାଧୁ ବେପାରିଙ୍କ ଦ୍ୱାରା ଚାଲାଣବେଳେ ୨ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବାବେଳେ ବେଳେ ୭ ଚିତା ବାଘ ଛାଲ, ୫ କିଗ୍ରା ବଜ୍ରକାପ୍ତା କାତି, ୨ ହରିଣ ଛାଲ ଜବତ କରାଯାଇଥିଲା। ମୋଟ୍‌ ୨୨ଲକ୍ଷ ୯୫ ହଜାର ବେଆଇନ ଟଙ୍କା, ୫ଲକ୍ଷ ୨୯ ହଜାର ନକଲି ନୋଟ୍‌ ଓ ୪.୬ କୁଇଣ୍ଟାଲ ଚନ୍ଦନ କାଠ ମଧ୍ୟ ଜବତ କରାଯାଇଥିଲା। ଡିସେମ୍ବର ୭ରେ ଏସ୍‌ଟିଏଫ୍‌ ରାୟଗଡାରେ ଚଢ଼ାଉ କରି ସ୍ଥାନୀୟ ପୋଲିସ ସହଯୋଗରେ ୨୦ ପ୍ରକାରର ୧୫୧ କେଜିର ମୂଲ୍ୟବାନ ପଥର ଜବତ କରିଥିଲା। ଏହାକୁ ମିଶାଇ ବର୍ଷକରେ ବହୁ କୋଟି ଟଙ୍କାର ମୋଟ ୪୩୦ କିଗ୍ରା ମୂଲ୍ୟବାନ ପଥର ଚୋରାଚାଲାଣ ସମୟରେ ଜବତ କରିଛି। ଏଥିସହିତ ୫ କୁଇଣ୍ଟାଲ ନକଲି ଜର୍ଦ୍ଦା ଓ ୬୬ହଜାର ଲିଟର କିରୋସିନ, ବିପୁଳ ବିସ୍ଫୋରକ ଯଥା ୧୯୬ କୁଇଣ୍ଟାଲ୍‌ ଆମୋନିଆ ନାଇଟ୍ରେଟ୍‌, ୩୨୦୦ ଜିଲୋଟିନ୍‌ ଷ୍ଟିକ୍‌ ଓ ୧୦,୪୦୬ ଡିଟୋନେଟର ଜବତ ହୋଇଛି। ସେହିପରି ଅନୈତିକ ଚାଲାଣ ସମୟରେ ୭ଜଣ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌।

Share