ରେଡ୍‌ ଜୋନ୍‌ରେ ୨୫ ଜିଲା

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେବ ଦୈନିକ କରୋନା ସଂକ୍ରମଣ ପ୍ରାୟ ୧୦ହଜାର ପାଖାପାଖି ରହୁଛି। ତେଣୁ ସଂକ୍ରମଣ ଏବେ ସ୍ଥିର ରହିଛି ବୋଲି କୁହାଯାଉଛି। ଯଦିଓ ସଂକ୍ରମଣ ବୃଦ୍ଧି ପାଉନି କିନ୍ତୁ ସେଭଳି ହ୍ରାସ ମଧ୍ୟ ପାଇନାହିଁ। ବିଭିନ୍ନ ଜିଲାରେ କରୋନା କାୟା ବିସ୍ତାର କରିଚାଲିଛି। ଏବେ ସୁଦ୍ଧା ସକ୍ରିୟ ରୋଗୀ ସଂଖ୍ୟାରେ ରାଜ୍ୟର ୨୫ ଜିଲା ରେଡ୍‌ ଜୋନ୍‌ରେ ସାମିଲ ହୋଇସାରିଲାଣି। ସେଥିମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୨,୭୪୨ଜଣ ସକ୍ରିୟ ରୋଗୀ ଥିବାବେଳେ ସୁନ୍ଦରଗଡ଼ରେ ଏହି ସଂଖ୍ୟା ୧୦ହଜାର ଟପିଛି। ସୁନ୍ଦରଗଡ଼ରେ ସକ୍ରିୟ ରୋଗୀ ସଂଖ୍ୟା ୧୦,୦୩୯ ସହ ରାଜ୍ୟର ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି କେନ୍ଦୁଝର, ଗଜପତି, କନ୍ଧମାଳ, ଦେବଗଡ଼ ଓ ମାଲକାନଗିରି ଆଦି ୫ ଜିଲା ୟେଲୋ ଜୋନ୍‌ରେ ରହିଛି। ଯଦି ବର୍ତ୍ତମାନ ଭଳି ଦୈନିକ ସଂକ୍ରମଣ ଚିହ୍ନଟ ଜାରି ରହେ, ତେବେ ଖୁବ୍‌ଶୀଘ୍ର ଏସବୁ ଜିଲା ମଧ୍ୟ ରେଡ୍‌ ଜୋନ୍‌ରେ ସାମିଲ ହୋଇଯିବ ବୋଲି ଆଶଙ୍କା କରାଯାଉଛି।
ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ଘଣ୍ଟାରେ ୧୦,୦୩୧ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୩୨୯ଜଣ ଥିବାବେଳେ ସୁନ୍ଦରଗଡ଼ରୁ ୮୨୪, କଟକ ୭୨୦, ପୁରୀ ୭୦୮, ଅନୁଗୋଳ ୪୫୬, ବରଗଡ଼ ୪୫୦, କଳାହାଣ୍ଡି ୪୩୩, ଝାରସୁଗୁଡ଼ା ୪୧୮, ଯାଜପୁର ୩୨୮, ନୂଆପଡ଼ା ୩୧୧, ନବରଙ୍ଗପୁର ୩୦୬, ସମ୍ବଲପୁରରୁ ୩୦୨ଜଣ ରହିଛନ୍ତି। ବାକି ସବୁ ଜିଲାରେ ସଂକ୍ରମିତ ସଂଖ୍ୟା ୩ଶହ ତଳକୁ ରହିଛି। ରାଜ୍ୟରେ ଏବେ ମୋଟ ପଜିଟିଭ୍‌ ସଂଖ୍ୟା ୫,୪୪,୮୭୩ରେ ପହଞ୍ଚତ୍ଛି। ସେହିପରି ରାଜ୍ୟରେ ଆଉ ୧୭ଜଣଙ୍କ ଜୀବନ ନେଇଛି କରୋନା। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, କଳାହାଣ୍ଡି, ସୁନ୍ଦରଗଡ଼ ଓ ରାୟଗଡ଼ାରେ ୩ଜଣ ଲେଖାଏ, ପୁରୀରୁ ୨, ଅନୁଗୋଳ, ଢେଙ୍କାନାଳ, ବଲାଙ୍ଗୀରରୁ ଜଣେ ଲେଖାଏ ରହିଛନ୍ତି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୨,୧୯୭କୁ ଛୁଇଁଛି। ଅନ୍ୟପଟେ ସଂକ୍ରମଣ ବୃ୍‌ଦ୍ଧି ଭିତରେ ଆଶ୍ୱସ୍ତିକର ଖବର ମିଳିଛି। ସୋମବାର ରାଜ୍ୟରେ ସର୍ବାଧିକ ୯,୭୦୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୭୮୭ଜଣ ରହିଛନ୍ତି। ଫଳରେ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୪,୫୭,୫୬୯କୁ ବୃଦ୍ଧି ପାଇଛି।

Share