ଡେରାବିଶ,୨୧ା୪(ସ୍ବ.ପ୍ର.): ଡେରାବିଶ ତହସିଲ ଅଧୀନରେ ବିଭିନ୍ନ ସ୍ଥାନରେ ଇଟା ବ୍ୟବସାୟୀଙ୍କ ଦ୍ୱାରା ବେଆଇନ ଭାଟି ନିର୍ମାଣ ନେଇ ବିଭିନ୍ନ ସମୟରେ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଅଭିଯୋଗମାନ ହୋଇ ଆସୁଥିଲା। ତେବେ ଏ ଦିଗରେ ତହସିଲ ପ୍ରଶାସନର ନୀରବତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏଥିସହ ବ୍ଲକ ଅଞ୍ଚଳରେ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଇଟାଭାଟିର ନିଆଁ ଓ ଧୂଆଁ ତାତି ବଢ଼ାଇବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିଲା। ଏ ସମ୍ପର୍କିତ ଖବର ୧୬ ତାରିଖ ‘ଧରିତ୍ରୀ’ରେ ପ୍ରକାଶିତ ହେବା ପରେ ତହସିଲଦାର ସମ୍ପୂର୍ଣ୍ଣ ଆକ୍ସନ ମୁଡ୍କୁ ଆସି ଯାଇଛନ୍ତି। ଗୁରୁବାର ତହସିଲଦାର ଅକ୍ଷୟ ପରିଡା, ଡେରାବିଶ ଥାନା ପୋଲିସ, ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ଚାଟରାଚକଡ଼ା ଓଲଢ଼ି ଓ କାଉପଡ଼ା ଆର୍ଆଇ ସର୍କଲ ଅଧୀନରେ ଥିବା ଥକେଇନେଉଳି, କାଉପଡ଼ା ଗାଁରେ ତିଆରି ଚାଲିଥିବା ୨୫ରୁ ଊର୍ଦ୍ଧ୍ୱ ବେଆଇନ ଇଟାଭାଟି ଉପରେ ଚଢ଼ାଉ କରିଥିଲେ। ଜେସିବି ମେଶିନ୍ ସହାୟତରେ ଭାଟିଗୁଡ଼ିକୁ ଭାଙ୍ଗିବା ସହ ନିଆଁ ଲାଗିଥିବା ଭାଟିରେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ପାଣି ପକାଇ ସମ୍ପୂର୍ଣ୍ଣ ନଷ୍ଟ କରି ଦିଆଯାଇଥିବା ତହସିଲଦାର ପରିଡ଼ା ସୂଚନା ଦେଇଛନ୍ତି। ତେବେ ଏହି ଅଭିଯାନ ଆଗକୁ ଜାରି ରହିବ ବୋଲି ସେ କହିଛନ୍ତି।