Categories: ଜାତୀୟ

ଏନ୍‌ଆଇଏ ରାଡାରରେ ୨୫ ଭାରତୀୟ, ଆଇଏସ୍‌ ସହ ସମ୍ପର୍କ ସନ୍ଦେହ…

ନୂଆଦିଲ୍ଲୀ,୧।୯: ଆଫଗାନିସ୍ତାନରେ ରହୁଥିବା ୨୫ ଜଣ ଭାରତୀୟ ନାଗରିକ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ରାଡାରରେ ଅଛନ୍ତି। ଏଜେନ୍ସି ସନ୍ଦେହ କରୁଛି ଯେ ସମସ୍ତେ ଆଇଏସ ଆତଙ୍କବାଦୀ ସଂଗଠନ ସହିତ ଯୋଗାଯୋଗରେ ରହିଥାଇ ପାରନ୍ତି। ସୂଚନାନୁସାରେ, ଏହି ଆତଙ୍କବାଦୀମାନେ ଆଫଗାନିସ୍ତାନ ଏବଂ ପାକିସ୍ଥାନ ସୀମାବର୍ତ୍ତୀ ଅଞ୍ଚଳ ନଙ୍ଗରହାର ନିକଟରେ ରହୁଛନ୍ତି। ନିକଟରେ ଏନଆଇଏ ମୁନିସିବ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରିଥିଲା। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଥିବା ଏନ୍‌ଆଇଏ ପକ୍ଷରୁ କୁହାଯାଇଛି।

୨୫ ମାର୍ଚ୍ଚ ୨୦୨୦ରେ ଆଫଗାନିସ୍ତାନର କାବୁଲରେ ଗୁରୁଦ୍ୱାରା ଉପରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ନାଗରିକଙ୍କ ସମେତ ୨୭ ଜଣଙ୍କର ମୃତ୍ୟୁ ଘଟିଥିଲା। କାବୁଲର ଗୁରୁଦ୍ୱାରା ଉପରେ ହୋଇଥିବା ଆକ୍ରମଣର ଅନୁସନ୍ଧାନ ଏନଆଇଏ କରୁଛି। ଆତଙ୍କବାଦୀ ସଂଗଠନ ଆଇଏସ୍‌କେପି ଏହି ଆକ୍ରମଣ କରିଥିବା ସ୍ବୀକାର କରିଥିଲା। ଏନ୍‌ଆଇଏ ଟିମ୍‌ ଆଫଗାନିସ୍ତାନ ଯାଇ ଏହି ଘଟଣାର ଅନୁସନ୍ଧାନ କରୁଛି। ଅନୁସନ୍ଧାନରୁ ଜଣାପଡିଛି ଯେ ଆତଙ୍କବାଦୀମାନେ ଗୁରୁଦ୍ୱାରରେ ପ୍ରବେଶ କରି ଲୋକଙ୍କ ଉପରେ ଗୁଳି ଚଳାଇଥିଲେ। ଏନ୍‌ଆଇଏ ସନ୍ଦେହ କରୁଛି ଯେ କେରଳର ବାସିନ୍ଦା ମୁହସିନ ମଧ୍ୟ ଏହି ମାମଲାରେ ସମ୍ପୃକ୍ତ ଅଛନ୍ତି। ଏହି ଅନୁସନ୍ଧାନ ବେଳେ ଆଫଗାନିସ୍ତାନରେ ରହୁଥିବା ଆଉ କିଛି ଭାରତୀୟ ଆତଙ୍କବାଦୀଙ୍କ ସହ ଜଡିତ ଥିବା ସନ୍ଦେହ କରାଯାଉଛି।

ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ଜେଲରେ ଥିବା ଅନେକ କଏଦୀଙ୍କୁ ମୁକ୍ତ କରାଯାଇଛି। ଏଥିରେ ବହୁ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ମଧ୍ୟ ସାମିଲ ଅଛନ୍ତି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଖୋରାସାନ ପ୍ରଦେଶ (ଆଇଏସକେପି)ର ଆତଙ୍କବାଦୀମାନେ ମଧ୍ୟ ଜେଲରୁ ମୁକୁଳିଛନ୍ତି। ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ତାଲିବାନ୍‌ର ନିକଟତର ହେଉଥିବା ସେଇ ସତର୍କ ସୂଚନା ମଧ୍ୟ ଏନ୍‌ଆଇଏ ପ୍ରଦାନ କରାଯାଇଛି। ସେହିପରି ପାକିସ୍ତାନ ପରିବର୍ତ୍ତିତ ଆଫଗାନିସ୍ତାନ ପରିସ୍ଥିତିର ଲାଭ ଉଠାଇବାର ଆଶଙ୍କା ରହିଛି। ପାକିସ୍ତାନ ଭାରତ ପାଇଁ ସଙ୍କଟ ସୃଷ୍ଟି କରୁଥିବାର ଷଡ଼ଯନ୍ତ୍ର କରୁଥିବା ସନ୍ଦେହ କରାଯାଉଛି।

Share