ଗାଜିଆବାଦ,୨୮।୩: ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ଡାସନା ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଦିନ ଦ୍ୱିପ୍ରହରରେ ରାସ୍ତା ମଝିରେ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୨୫ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ସୋମବାର ଦ୍ୱିପ୍ରହରେ ଡାସନା ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପର ୪ଜଣ କର୍ମଚାରୀ ୨ଟି ବାଇକ୍ରେ ୨୫ଲକ୍ଷ ଟଙ୍କା ନେଇ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ସେହି ସମୟରେ ୩ଜଣ ଦୁର୍ବୃତ୍ତ ଆସି ୪ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଉକ୍ତ ଟଙ୍କା ଲୁଟ୍ କରିନେଇଥିଲେ। ଏହି ଘଟଣା ମସୁରୀ ଥାନା ଅଞ୍ଚଳ ଗୋବିନ୍ଦପୁରମରେ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ରାଉଣ୍ଡ ଗୁଳି ଚଳାଇଥିଲେ। କିନ୍ତୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ। ଅନ୍ୟପଟେ ରାସ୍ତାରେ ଉପସ୍ଥିତ ଥିବା କିଛି ଲୋକଙ୍କ ମଧ୍ୟରେ ଜଣେ ଏହି ଦୃଶ୍ୟକୁ ନିଜ ମୋବାଇଲ୍ରେ ରେକର୍ଡ କରିଛନ୍ତି। ଏହାକୁ ଆଧାର କରି ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଗାଜିଆବାଦର ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଅପରପକ୍ଷେ ଏହି ଘଟଣାକୁ ନେଇ ଏସ୍ପି ଅଧ୍ୟକ୍ଷ ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି।