ଜାଭେଲିନ ତାରକା କିଶୋରଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର

ଭୁବନେଶ୍ୱର,୨୯ା୮(ଅନିଲଦାସ):ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ପ୍ରଥମ ଓଡ଼ିଆ ଭାବେ ଦେଶ ପାଇଁ ପ୍ରତିନିଧିତ୍ୱ କରି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜାଭେଲିନ ତାରକା କିଶୋର ଜେନାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୁଦାପେଷ୍ଟରେ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ କିଶୋର ଜେନାଙ୍କ ଉଲ୍ଲେଖନୀୟ ଯାତ୍ରା ଓ ଅସାଧାରଣ ପ୍ରଦର୍ଶନ ଆମ ରାଜ୍ୟ ଓ ଦେଶ ପାଇଁ କେବଳ ଗୌରବ ଆଣି ଦେଇ ନାହିଁ, ଆଗାମୀ ବର୍ଷଗୁଡ଼ିକରେ ଏହା ଅନେକ ଆଥ୍‌ଲେଟ୍‌ସଙ୍କୁ ପ୍ରେରଣା ଯୋଗାଇବ।
ରାଜ୍ୟର ପ୍ରଥମ ବ୍ୟକ୍ତି ଭାବେ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାଗ ନେଇ କିଶୋର ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ରବିବାର ଅନୁଷ୍ଠିତ ଫାଇନାଲରେ ପଦକ ଜିତି ପାରି ନ ଥିଲେ ମଧ୍ୟ ସେ ନିରାଶ କରି ନ ଥିଲେ। ସେ ୮୪.୭୭ ମିଟର ଜାଭେଲିନ ପିଙ୍ଗି ପ୍ରତିଯୋଗିତାର ପଞ୍ଚମ ସ୍ଥାନରେ ରହିଥିଲେ। ଏହା ଥିଲା କିଶୋରଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ। ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ହେଉଛି ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତା। ବିଶ୍ୱର ପ୍ରତିଭାବାନ ଆଥ୍‌ଲେଟ ଏହି ପ୍ରତିଯୋଗିତାରେ ଭାଗ ନେଇ ଥାଆନ୍ତି। ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ କିଶୋର ଜେନା କେବଳ ନିଜର ବ୍ୟକ୍ତିଗତ ସଫଳତା ପାଇଁ ଅଂଶ ଗ୍ରହଣ କରି ନାହାନ୍ତି ବରଂ ଓଡ଼ିଶା ଏକ ପ୍ରତିଭାବାନ କ୍ରୀଡାବିତ୍‌ଙ୍କୁ ବିଶ୍ୱକୁ ପ୍ରଦାନ କରିପାରିଛି।

Share