ଉତ୍ତରପ୍ରଦେଶରେ କମୁଛି ସଂକ୍ରମଣ: ଗତ ୨୪ଘଣ୍ଟାରେ ୨୫ନୂଆ ଆକ୍ରାନ୍ତ ଚିହ୍ନଟ, ୪୮ଜିଲାରେ ନାହିଁ କୌଣସି ନୂଆ ମାମଲା

ଲକ୍ଷ୍ନୌ,୩।୮: ଉତ୍ତରପ୍ରଦେଶରେ ଲଗାତର ଭାବେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି। ସୋମବାର ରାଜ୍ୟରେ କେବଳ ୨୫ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ଜଣ ସୁସ୍ଥ ଓ ଗୋଟିଏ ବି ମୃତ୍ୟୁସଂଖ୍ୟା ସାମ୍ନାକୁ ଆସିନାହିଁ। ତେବେ ଏହି ନୂଆ ମାମଲା ୧୭ଟି ଜିଲାରୁ ଆସିଥିବା ଜଣାପଡ଼ିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଲକ୍ଷ୍ନୌରୁ ୬, ଆଗ୍ରା ୩, ବାରଣାସୀରୁ ୨ଜଣ ରହିଛନ୍ତି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୪୮ଟି ଜିଲାରୁ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ପୂର୍ବରୁ ରାଜ୍ୟର ୧୦ଟି ଜିଲା କରୋନା ମୁକ୍ତ ହୋଇଥିବା ବେଳେ ଏଠାରେ କରୋନାର ଗୋଟିଏ ବି ସକ୍ରିୟ ମାମଲା ନ ଥିବା ସୂଚନା ରହିଛି। ସୂଚନା ମୁତାବକ ରାଜ୍ୟରେ ସକ୍ରିୟ ମାମଲା ମୋଟ ୬୪୬ ରହିଥିବା ବେଳେ ମେନପୁରୀରେ ୫୨ ଓ କୁଶିନଗରରେ ୫୦ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ରାଜ୍ୟର ୫୬ଟି ଜିଲାରେ ୨୦ କିମ୍ବା ତା’ଠାରୁ କମ୍‌ କରୋନା ମାମଲା ରହିଛି। ଏଥିରେ ୫ରୁ କମ୍‌ ସକ୍ରିୟ ମାମଲା ଥିବା ୩୮ଟି ଜିଲା ସାମିଲ ରହିଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି କିନ୍ତୁ ଏବେ ବି ବିପଦ ଟଳିନାହିଁ ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।

Share