ନୂଆଦିଲ୍ଲୀ, ୧୫।୯: କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇ ଗତ ଏକ ମାସ ଧରି ଲଢ଼େଇ କରି ଶେଷରେ ୨୫ ବର୍ଷୀୟ ଜଣେ ଯୁବ ଡାକ୍ତର ମୃତ୍ୟୁବରଣ କରିଛନ୍ତି। ହରିୟାଣର ଯୁବ ଡାକ୍ତର ବିକାଶ ସୋଲାଙ୍କି କରୋନାରେ ଆକ୍ରାନ୍ତ ହୋଇ ମଙ୍ଗଳବାର ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି ବିକାଶ, ହରିୟାଣର ଝାଜର ଏମ୍ସରେ କାର୍ଯ୍ୟରତ ଥିଲେ। ସେଠାରେ କାର୍ଯ୍ୟରତ ସମୟରେ ହିଁ ସେ ଗତ ମାସରେ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କୁ ସେଠାରେ ହିଁ ଚିକିତ୍ସିତ କରାଯାଉଥିଲା। କିନ୍ତୁ ଗତ ଶନିବାର ଡାକ୍ତର ସୋଲାଙ୍କିଙ୍କୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳେ ତାଙ୍କର ବିୟୋଗ ଘଟିଥିଲା।