Categories: ଜାତୀୟ

ସୌଦି ଜେଲର ଗୋଟିଏ ଘରେ ୨୫୦ ଭାରତୀୟ: ଜୀବନ ବଞ୍ଚାଇବା ଲାଗି ମୋଦିଙ୍କୁ କଲେ ଗୁହାରି

ନୂଆଦିଲ୍ଲୀ, ୧୪।୯: ସୌଦିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଜାରି ହୋଇଥିଲା। ଲକ୍‌ଡାଉନ୍‌ ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୫୦ ଜଣ ଭାରତୀୟଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଭାରତୀୟଙ୍କୁ ଜେଲ୍‌ର ଗୋଟିଏ ଘରେ ରଖାଯାଇଛି। ଏଠାରେ ରହିବାକୁ ଅସୁବିଧା ହେଉଥିବା ସମ୍ପୃକ୍ତ ଭାରତୀୟମାନେ ଅଭିଯୋଗ କରିଛନ୍ତି। ଜେଲ୍‌ରେ ଥିବା ମୁସ୍ତକିମ୍‌ ନାମକ ଜଣେ ଯୁବକ ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରିଛନ୍ତି। ବନ୍ଦୀମାନଙ୍କ ଜୀବନ ବଞ୍ଚାଇବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭିଡ଼ିଓରେ ଅନୁରୋଧ କରୁଥିବାର ଦେଖିବାକୁ ମିଳୁଛି। ଯୁବକ ଜଣକ ସହାରନପୁର ଅନ୍ତର୍ଗତ ଦେଓବନ୍ଦ ଅଞ୍ଚଳର ବେରୁନ୍‌ କୋଟେଲର ବାସିନ୍ଦା। ଜେଲରେ ଭାରତୀୟମାନେ ଅତି କଷ୍ଟରେ ଶୋଇଥିବା ୪୪ ସେକେଣ୍ଡର ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି। ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ଯୁବକଙ୍କ ସ୍ତ୍ରୀ ଶାବନା ମଧ୍ୟ ସୋସିଆଲ୍‌ ମିଡ଼ିଆରେ ୪୯ ସେକେଣ୍ଡର ଏକ ଭିଡ଼ିଓ ଅପଲୋଡ୍‌ କରିଛନ୍ତି। ସେ ମୋଦିଙ୍କୁ ଏନେଇ ଅନୁରୋଧ କରିଛନ୍ତି। ଏବେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

Share