Advertisement

୨୫୦ ନିୟୁତ ଟନ୍‌ ପଣ୍ୟ ପରିବହନ

ଭୁବନେଶ୍ୱର,୨୨ା୩(ଅନୁରାଧା ମହାରଣା): ପୂର୍ବତଟ ରେଳପଥ ପଣ୍ୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ହେବାର ୧୧ଦିନ ପୂର୍ବରୁ ୨୫୦ ମେଟ୍ରିକ୍‌ ଟନ୍‌ ପଣ୍ୟ ପରିବହନ କରି ରେକର୍ଡ ସୃଷ୍ଟି କରିଛି। ଏତେ ପରିମାଣର ପଣ୍ୟ ପରିବହନ କରିବାରେ ଏହା ଦେଶର ପ୍ରଥମ ରେଳ ଜୋନ୍‌ ହୋଇଛି। ଲଗାତାର ଭାବେ ଦ୍ୱିତୀୟ ବର୍ଷ ପାଇଁ ୨୫୦ ନିୟୁତ ଟନ୍‌ ସୀମା ଅତିକ୍ରମ କରିଛି। ଏହି ସଫଳତା ହାସଲ କରିବା ପାଇଁ ପୂର୍ବତଟ ରେଳପଥ ଗତ ଆର୍ଥିକ ବର୍ଷରେ ୩୬୦ ଦିନ ସମୟ ନେଇଥିଲାବେଳେ ଚଳିତ ବର୍ଷ ୩୫୫ ଦିନରେ ଲକ୍ଷ୍ୟ ହାସଲ କରିଛି। ଏହାସହ ପୂର୍ବତଟ ରେଳପଥ କ୍ରମାଗତ ୬ଷ୍ଠ ଥର ପାଇଁ ୨୦୦ ନିୟୁତ ଟନ ପଣ୍ୟ ପରିବହନ ଅତିକ୍ରମ କରିବାର ଗୌରବ ମଧ୍ୟ ହାସଲ କରିଛି। ଏହା ବ୍ୟତୀତ ପୂର୍ବତଟ ରେଳପଥ ୨୦୨୪-୨୫ ଆର୍ଥିକ ବର୍ଷରେ ନିଜ କ୍ଷେତ୍ର ମଧ୍ୟରେ ୨୨୮.୩ ନିୟୁତ ଟନ୍‌ ମାଲ ପରିବହନ ମୁକ୍ତ/ଅନ୍‌ଲୋଡ କରିଛି, ଯାହା ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୨.୬% ଅଧିକ। ୨୦୨୩-୨୪ ଆର୍ଥିକ ବର୍ଷରେ ୨୧ ମାର୍ଚ୍ଚ ସୁଦ୍ଧା ପୂର୍ବତଟ ରେଳପଥ ୨୨୨.୪ ନିୟୁତ ଟନ୍‌ ମାଲ ପରିବହନ କରିଥିଲା। ଏହି ଐତିହାସିକ ସଫଳତା ହାସଲ କରିବାରେ ତାଳଚେରରେ ଥିବା ମହାନଦୀ କୋଲଫିଲ୍ଡସ ଲିମିଟେଡ୍‌ (ଏମ୍‌ସିଏଲ)ର କୋଇଲା କ୍ଷେତ୍ର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ପାରାଦୀପ, ଧାମରା, ବିଶାଖାପାଟଣା, ଗଙ୍ଗାଭରମ ଏବଂ ଗୋପାଳପୁର ଆଦି ୫ଟି ପ୍ରମୁଖ ବନ୍ଦର, ବୈଲାଡିଲା (ଛତିଶଗଡ଼) ଏବଂ କେଉଁଝର ଜିଲା (ଓଡ଼ିଶା)ରେ ଲୁହା ଖଣି, ପ୍ରମୁଖ ଇସ୍ପାତ ଓ ଆଲୁମିନିୟମ ଶିଳ୍ପ ଏହି ରେକର୍ଡ ସୃଷ୍ଟିରେ ସହାୟକ ହୋଇଥିବା ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share