Categories: ଜାତୀୟ

ବିବାହରେ ସାମିଲ ହେଲେ ୨୫୦ ଲୋକ: କ୍ୱାରାଣ୍ଟାଇନ ଖର୍ଚ୍ଚ, ଚିକିତ୍ସା ପାଇଁ ବର ପିତାଙ୍କ ଉପରେ ଲାଗିଲା ଲକ୍ଷାଧିକ ଟଙ୍କା ଜରିମାନା

ଜୟପୁର,୨୮।୬: ରାଜସ୍ଥାନର ଭିଲଓ୍ବାଡାରେ ଅନୁଷ୍ଠିତ ଏକ ବିବାହକୁ ନେଇ ଏବେ ସବୁଆଡେ ଚାଲିଛି ଚର୍ଚ୍ଚା। ଏଠାରେ ବରପକ୍ଷ ୨୫୦ ଜଣଙ୍କୁ ନିମନ୍ତ୍ରଣ ଦେଇଥିବା ବେଳେ ଏବେ ଏହା ତାଙ୍କପାଇଁ ଚିନ୍ତାର କାରଣ ପାଲଟିଛି। ଏପର୍ଯ୍ୟନ୍ତ ଏହି ବିବାହରେ ଯୋଗ ଦେଇଥିବା ପାଖାପାଖି ୧୫ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏଥିରେ ବରଙ୍କ ଦାଦା ସାମିଲ ହୋଇଥିବା ବେଳେ କରୋନା ସଂକ୍ରମଣ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି। ବର ସହିତ ତାଙ୍କ ପିତା ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୨୭ଜଣ କ୍ୱାରାଣ୍ଟାଇନରେ ଥିବା ବେଳେ ଏମାନଙ୍କ କ୍ୱାରାଣ୍ଟାଇନ ଖର୍ଚ୍ଚ ବାବଦକୁ ଓ ସଂକ୍ରମିତଙ୍କ ଚିକିତ୍ସା ପାଇଁ ବର ପିତାଙ୍କଠାରୁ ୬ଲକ୍ଷ ୨୬ହଜାର ୬୦୦ଶହ ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହାଠାରୁ ଅଧିକ ଖର୍ଚ୍ଚ ହୁଏ ତେବେ ତାହା ମଧ୍ୟ ବରଙ୍କ ପରିବାର ଲୋକେ ଭରଣା କରିବେ ବୋଲି ଜିଲାପାଳ ସ୍ଥାନୀୟ ତହସିଲଦାରଙ୍କୁ କହିଛନ୍ତି। ଉକ୍ତ ଜରିମାନା ରାଶି ୩ ଦିନ ମଧ୍ୟରେ ଆଦାୟ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପଠାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Share