Categories: ଜାତୀୟ

ଲଞ୍ଚପ୍ୟାଡରେ ୨୫୦ରୁ ୩୦୦ ଆତଙ୍କବାଦୀ, ଭାରତରେ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର…

ଶ୍ରୀନଗର,୧୬।୧୨: ପାକିସ୍ତାନ ଭାରତ ବିରୋଧରେ ଏହାର ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ହେବାର ନା ଧରୁନି। ପୁଣି ଥରେ ସୀମାରୁ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଏଥିରେ ପାକିସ୍ତାନର ହାତ ରହିଛି। ଗୁପ୍ତଚର ଏଜେନ୍ସିରୁ ସୂଚନା ପାଇବା ପରେ ବିଏସଏଫ ଏକ ସତର୍କ ସୂଚନା ଜାରି କରିଛି। ସୂଚନା ଦେଇ ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ପ୍ରାୟ ୨୫୦ ରୁ ୩୦୦ ଆତଙ୍କବାଦୀ ପାକିସ୍ତାନ ସୀମାରୁ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଏହି ଆତଙ୍କବାଦୀମାନେ ସୀମା ପାର୍ଶ୍ୱରେ ଥିବା ଲଞ୍ଚପ୍ୟାଡରେ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି।

ଅଧିକାରୀ କହିଛନ୍ତି ସୁରକ୍ଷା ବାହିନୀକୁ ସତର୍କ କରାଯାଇଛି। ଯାହାଦ୍ୱାରା ଅନୁପ୍ରବେଶର ପ୍ରୟାସକୁ ବିଫଳ କରାଯାଇ ପାରିବ। ବିଏସଏଫ ଇନ୍ସପେକ୍ଟର ଜେନେରାଲ ଅଶୋକ ଯାଦବ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲାରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଲଞ୍ଚ ପ୍ୟାଡରେ ଆତଙ୍କବାଦୀମାନେ ଉପଯୁକ୍ତ ସୁଯୋଗକୁ ଅପେକ୍ଷା କରି ବସିଛନ୍ତି।
କିନ୍ତୁ ଆମେ ଏବଂ ସେନା ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରିଛୁ। ସେ କହିଛନ୍ତି ବିଏସଏଫ ଏବଂ ସେନାର ସାହସୀ ଯବାନମାନେ ସୀମାବର୍ତ୍ତୀ ଅଞ୍ଚଳରେ ସତର୍କ ରହିଛନ୍ତି ।

Share