ଖୋଲା ଗଲା ୨,୫୦୦ ବର୍ଷ ପୁରୁଣା ମମି

କାଏରୋ, ୭।୧୦: ମିଶରରେ ଏକ ୨,୫୦୦ ବର୍ଷ ପୁରୁଣା ମମିକୁ ଖୋଲା ଯାଇଛି। ସ୍ଥାନୀୟ ପର୍ଯ୍ୟଟନ ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପୁରାତନ ମମିକୁ ଖୋଲା ଯାଇଛି। ଲୋକଙ୍କ ଉପସ୍ଥିତିରେ ଏହାକୁ ଖୋଲା ଯାଇଛି। ଏବେ ଏହାର ୨୧ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଟୁଇଟରରେ ଅପଲୋଡ୍‌ କରାଯାଇଛି। ସାକକାରା ଅଞ୍ଚଳରୁ ଏକ ପିରାମିଡ଼ ଭିତରୁ ୫୯ଟି ସିଲ୍‌ କରାଯାଇଥିବା ମମି ମିଳିଥିଲା। ସେଥିମଧ୍ୟରୁ ଗୋଟିଏ ମମିକୁ ଖୋଲା ଯାଇଥିବା କୁହାଯାଉଛି। ମମି ଗୁଡ଼ିକ ଅଢ଼େଇ ହଜାର ବର୍ଷ ତଳର ବୋଲି ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କୁହାଯାଇଛି। ମମି ଖୋଲାଯିବାକୁ ନେଇ ସୋସିଆଲ୍‌ ମିଡ଼ିଆରେ ବିଭିନ୍ନ ୟୁଜର ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ମମିରେ ଯଦି କୌଣସି ମହାମାରୀ ଭୂତାଣୁ ରହିଥାଏ, ତେବେ ଏହାଯୋଗୁ ମନୁଷ୍ୟ ସମାଜ ପାଇଁ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିବା ନେଇ କେତେକ ୟୁଜର ମତାମତ ଦେଇଛନ୍ତି। ଏଭଳି କାର୍ଯ୍ୟ କରୋନା ମହାମାରୀ ସମୟରେ ବନ୍ଦ କରାଯିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି।

Share