
ନୂଆଦିଲ୍ଲୀ/କୋଲକାତା,୪।୪ (ପି.ଟି.):ପଶ୍ଚିମବଙ୍ଗର ସରକାରୀ ଏବଂ ରାଜ୍ୟ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ୨୫,୭୫୩ ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ ଗୁରୁବାର ରଦ୍ଦ କରିଛନ୍ତି। ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ଲାଗି ପଶ୍ଚିମବଙ୍ଗ ସ୍କୁଲ୍ ସର୍ଭିସ୍ କମିଶନଙ୍କ ଅଧୀନରେ ହୋଇଥିବା ସମ୍ପୂର୍ଣ୍ଣ ଚୟନ ପ୍ରକ୍ରିୟା କଳୁଷିତ ଓ ଭ୍ରଷ୍ଟ ବୋଲି ସର୍ବୋଚ୍ଚ ଅଦାଲତ କହିଥିବାବେଳେ ମମତା ବାନାର୍ଜୀଙ୍କ ସରକାରଙ୍କୁ ବଡ଼ ଝଟକା ଲାଗିଛି।
ସିଜେଆଇ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ କୋଲକାତା ହାଇକୋର୍ଟଙ୍କ ୨୦୨୪ ଏପ୍ରିଲ ୨୨ ତାରିଖର ରାୟକୁ ବଳବତ୍ତର ରଖିବା ସହ ୩ ମାସ ମଧ୍ୟରେ ସାନି ଚୟନ ପ୍ରକ୍ରିୟା ଆରମ୍ଭ କରିବାକୁ ତୃଣମୂଳ କଂଗ୍ରେସ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ। ଠକାମି କରି ଏଭଳି ନିଯୁକ୍ତି ଦିଆଯାଇଥିବାରୁ ତାହା ରଦ୍ଦ ହେଲା ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି। ଖଣ୍ଡପୀଠଙ୍କ ମତରେ ସମ୍ପୂର୍ଣ୍ଣ ପ୍ରକ୍ରିୟା କଳୁଷିତ। ଏଥିରେ ବ୍ୟାପକ ଜାଲିଆତି ହୋଇଥିବା ବେଳେ ତାହାକୁ ଘୋଡ଼ାଇବାକୁ ଉଦ୍ୟମ ହୋଇଥିଲା। ଫଳରେ ଚୟନ ପ୍ରକ୍ରିୟା ପୂର୍ଣ୍ଣ ମାତ୍ରାରେ ନଷ୍ଟ ହୋଇଯାଇଛି, ଯାହାକୁ ସୁଧାରି ହେବ ନାହିଁ। ଯେଉଁ ପ୍ରାର୍ଥୀମାନେ ନିର୍ଦ୍ଦିଷ୍ଟ ଭାବେ ଦୋଷୀ ପ୍ରମାଣିତ ହୋଇନାହାନ୍ତି, ସେମାନେ ବହୁବର୍ଷ ଧରି ପାଇଥିବା ବେତନ ଫେରାଇବାକୁ ପଡ଼ିବ ନାହିଁ। ତେବେ ସେମାନଙ୍କୁ ସେବାରୁ ବହିଷ୍କାର କରାଯିବ। ସମ୍ପୂର୍ଣ୍ଣ ପରୀକ୍ଷା ପ୍ରକ୍ରିୟା ଏବଂ ଫଳାଫଳ ବ୍ୟର୍ଥ ଘୋଷିତ ହୋଇଥିବାରୁ କୌଣସି ପ୍ରାର୍ଥୀ ନିଯୁକ୍ତ ହୋଇପାରିବେ ନାହିଁ।
ହାଇକୋର୍ଟଙ୍କ ପୂର୍ବ ରାୟକୁ ମମତା ବାନାର୍ଜୀଙ୍କ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସର୍ବୋଚ୍ଚ ଅଦାଲତ ଉକ୍ତ ରାୟକୁ ଗୁରୁବାର କାଏମ ରଖିଥିବାବେଳେ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ମମତା କହିଛନ୍ତି। ମମତା କହିଛନ୍ତି, ୨୫,୭୫୩ ଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରାଯିବା ରାୟ ଗ୍ରହଣୀୟ ନୁହେଁ। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସର୍ବୋଚ୍ଚ ଅଦାଲତ ରଦ୍ଦ କରିବା ଫଳରେ ପାଖାପାଖି ୨୬ ହଜାର ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ଅଡ଼ୁଆ ବଢ଼ିଛି। ଏଭଳି ସ୍ଥିତି ପାଇଁ ଦାୟୀ ମୁଖ୍ୟମନ୍ତ୍ରୀ ମମତା ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ତାଙ୍କୁ ଗିରଫ କରାଯାଉ ବୋଲି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି।