୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ସାଜିଦ ମୀର ଜୀବିତ, ମୋଷ୍ଟ ୱାଣ୍ଟେଡକୁ ମୃତ ଘୋଷଣା କରିଥିଲା ଆଇଏସଆଇ

ଇସଲାମାବାଦ,୨୫ ।୬: ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ସାଜିଦ ମୀରଙ୍କୁ ପାକିସ୍ତାନ ଗିରଫ କରିଥିବା ଜଣାପଡିଛି । ଏହା ପୂର୍ବରୁ ପାକିସ୍ତାନି ଗୁପ୍ତଚର ସଂସ୍ଥା ଆଇଏସଆଇ ଏଫବିଆଇ ପକ୍ଷରୁ ମୋଷ୍ଟ ୱାଣ୍ଟେଡ ସାଜିଦଙ୍କ ମୃତ୍ୟୁ ହୋଇଥିବା ଦାବି କରିଥିଲା । ବିଶେଷଜ୍ଞଙ୍କ ମତରେ ଏଫଏଟିଏଫର ଗ୍ରେ ତାଲିକାରୁ ବାହାରିବାକୁ ପାକିସ୍ତାନ ମୀରଙ୍କୁ ଦଣ୍ଡ ଦେବାର ନାଟକ କରୁଛି ।
ନିକ୍କେଇ ଏସିଆର ରିପୋର୍ଟ ଅନୁଯାୟୀ, ଏଫବିଆଇର ଜଣେ ଅଧିକାରୀ କହିଛନ୍ତି ମୀର ଜୀବିତ ଅଛନ୍ତି । ସେ ଜେଲରେ ଅଛନ୍ତି ଓ ତାଙ୍କୁ ଦଣ୍ଡିତ କରାଯାଇଛି । ମୀରଙ୍କୁ ମୋଷ୍ଟ ୱାଣ୍ଟେଡ ତାଲିକାରେ ସାମିଲ କରି ଏଫବିଆଇ ୨୦୧୧ରେ ତାଙ୍କ ଉପରେ ୫୦ ଲକ୍ଷ ଡଲାର ପୁରସ୍କାର ଘୋଷଣା କରିଥିଲା । ଆମେରିକା ଓ ଭାରତ ଏକ ଦଶକ ହେବ ତାଙ୍କୁ ଖୋଜୁଛନ୍ତି । ଲସ୍କର ନେତା ହାଫିଜ ସଇଦଙ୍କ ନିକଟତର ସାଜିଦ ମୁମ୍ବାଇ ଆକ୍ରମଣର ଯୋଜନା କରିଥିବା ଡେଭିଡ କୋଳମ୍ୟାନ ହେଡଲି ଓ ଅନ୍ୟ ଆତଙ୍କବାଦୀଙ୍କ ହୃାଣ୍ଡଲର ବୋଲି କୁହାଯାଉଛି ।
ସାଜିଦ ମୀର ୨୦୧୦ ପର୍ଯ୍ୟନ୍ତ ଲସ୍କର-ଇ-ତୋଏବାର ଅପରେଶନ ଚିଫ ଜକି-ଉର-ରହମାନ ଲଖଭିଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ । କେବଳ ଯେ ସେ ବିଦେଶରୁ ଆତଙ୍କବାଦୀଘ୍‌କ ରେସକ୍ୟୁ କରୁଥିଲେ ତା ନୁହେଁ ବରଂ ପାକିସ୍ତାନରେ ଆତଙ୍କବାଦୀ ଶିବିର ବି ଚଲାଉଥିଲେ ।

Share