ନୂଆଦିଲ୍ଲୀ,୨୬।୧୧: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୧୫ବର୍ଷ। ସମୟ ବିତିଥିଲେ ବି କ୍ଷତ ଶୁଖିନି। କ୍ଷତ ଆଉ କ୍ଷତି ଦୁଇଗୁଣା ବଢିଛି। ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ଜଣଙ୍କ ହତ୍ୟା କରାଯାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ହୋଟେଲରେ ଆତଙ୍କବାଦୀଙ୍କ ବନ୍ଧକରେ ଥିବା ଲୋକଙ୍କ ମଧ୍ୟରୁ ସବୁଠାରୁ ସାନ ଥିଲେ ୯ବର୍ଷର ଦେବିକା ରୋଟାଓ୍ବାନ। ଏହି କୁନି ଝିଅ ଜଣକ ୨୦୦୯ରେ ଆତଙ୍କୀଙ୍କ ବିରୋଧରେ କୋର୍ଟରେ ସାକ୍ଷୀ ଦେଇଥିଲେ। ଯାହାଯୋଗୁ ସେମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା।
ଆକ୍ରମଣ ସମୟର ୯ବର୍ଷର ଦେବିକା ଏବେ ୨୪ବର୍ଷର ଯୁବତୀ। ଆକ୍ରମଣ ପରେ ତାଙ୍କ ଜୀବନ କେଉଁ ସେଲିବ୍ରେଟିଙ୍କ ଠାରୁ କମ୍ ନ ଥିଲା। କୌନ ବନୋ କୋରଡପତି ଠାରୁ ଆରମ୍ଭ କରି ବହୁ ଡ୍ୟାନ୍ସ ଶୋ’କୁ ଦେବିକା ଅଂଶ ଗ୍ରହଣ କରିଛନ୍ତି। ଏହାରି ଭିତରେ ବହୁ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ହେଲେ ଏତେ ବର୍ଷ ଭିତରେ ସେ ବହୁ ସମସ୍ୟା ଦେଇ ଗତି କରିଛନ୍ତି।
ଏନେଇ ଦେବିକା କହିଛନ୍ତି, ୨୬।୧୧ ଦିନ ମନେରଖିବା ପାଇଁ କୌଣସି ରିମାଇଣ୍ଡର ଲୋଡା ପଡେ ନାହିଁ। ତାହା ମୋ ମନର ଏକ ଅକ୍ଷତ ଦାଗ। ଯାହା କେବେ ବି ଶୁଖିନି। କାରଣ ଆକ୍ରମଣ ପରର ଏହି ଦୀର୍ଘ ୧୫ବର୍ଷର ପ୍ରତିଟି ଦିନ ମୋତେ ସେହି ଦିନକୁ ଭୁଲେଇବାକୁ ପଛଘୁଞ୍ଚା ଦେଇ ନାହାନ୍ତି। ଆଜିର ଦିନରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ରେଲଓ୍ବେ ଷ୍ଟେଶନରେ ଆତଙ୍କ ରଚାଇଥିଲା ଆତଙ୍କବାଦୀ ଅଜମଲ କସାବ। ମୁଁ ସେତେବେଳେ ୯ବର୍ଷର ଥିଲି। ଆଉ ସବୁଠୁ କମ ବୟସରେ ହିଁ କୋର୍ଟରେ ସାକ୍ଷୀ ଦେଇ ଆତଙ୍କୀ କସାବକୁ ଅଭିଯୁକ୍ତଙ୍କ ମଧ୍ୟରେ ଚିହ୍ନଟ କରିଥିଲି।
୨୦୦୬ରେ କୌଣସି ରୋଗରେ ପୀଡିତ ହୋଇ ଦେବିକା ତାଙ୍କ ମାଆଙ୍କୁ ହରାଇଥିଲେ। ୨୬/୧୧ ଆକ୍ରମଣ ପୂର୍ବରୁ ତାଙ୍କ ବାପା ସେଓ ବିକ୍ରି କରୁଥିଲେ। ଆକ୍ରମଣ ସମୟରେ ଦେବିକା ତାଙ୍କ ବାପା ଓ ଭାଇଙ୍କ ସହ ଟ୍ରେନରେ ଚଢିବା ପାଇଁ ଶିବାଜୀ ରେଲଓ୍ବେ ଷ୍ଟେଶନରେ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କର ଡାହାଣ ଗୋଡରେ ଗୁଳି ବାଜିଥିଲା। ଗୁଳି ବାଜିବାରୁ ସେ ସାଙ୍ଗେ ସାଙ୍ଗେ ବେହୋସ ହୋଇ ପଡିଥିଲେ। କସାବ ଦ୍ୱାରା ଚଳାଯାଇଥିବା ଗୁଳିରେ ତାଙ୍କ ଗୋଡରେ ୬ଟି ସର୍ଜରୀ ହୋଇଥିଲା। ସେ ୬୫ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କ ବାପା ହସ୍ପିଟାଲର ଚକ୍କର କାଟୁଥିଲେ। ଏହାରି ଭିତରେ ତାଙ୍କ ବ୍ୟବସାୟ ମାନ୍ଦା ପଡି ଦୋକାନ ବନ୍ଦ ହୋଇଯାଇଥିଲା। ପରେ ପରେ ୨୦୧୪ରେ ତାଙ୍କୁ ଟିବି ହୋଇଯାଇଥିଲା। ଦୀର୍ଘଦିନ ସେ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ।
୨୦୦୯ରେ ୧୦ବର୍ଷର ହୋଇଥିବାବେଳେ ଏହି ମାମଲାର କୋର୍ଟରେ ଶୁଣାଣି ସମୟରେ ଦେବିକା ସାକ୍ଷୀ ଦେଇଥିଲେ। ସେ କହିଛନ୍ତି, ଘଟଣାର ମୁଁ ପ୍ରତ୍ୟକ୍ଷଦର୍ଶୀ ଥିବାରୁ କସାବଙ୍କୁ ଚିହ୍ନିବାରେ ମୋର ଭୁଲ ହୋଇ ନ ଥିଲା। ଏବଂ ତାଙ୍କ ବିରୋଧରେ କୋର୍ଟରେ ସାକ୍ଷୀ ଦେଇଥିଲି। ସାକ୍ଷୀ ଦେବା ପରେ କସାବ ମୋତେ ଚାହିଁ ପୁଣି ମୁଣ୍ଡ ତଳକୁ ପୋତି ଦେଇଥିଲେ। ଦଣ୍ଡ ତ ମିଳିଥିଲା ହେଲେ ମୋ ଜୀବନ ଦୁର୍ବିସହ ହୋଇ ପଡିଥିଲା। ସ୍କୁଲରେ ଏଥିଯୋଗୁ ମୋତେ ଆଡମିଶନ ମିଳି ନ ଥିଲା। ମୋ ଯୋଗୁ ଅନ୍ୟ ପିଲାଙ୍କ ସୁରକ୍ଷା ପ୍ରତି ବିପଦ ଅଛି ବୋଲି ସେମାନେ ଆଡମିଶନ ପାଇଁ ମନା କରି ଦେଇଥିଲେ। ଯେନତେନ ପ୍ରକାରେ ପାଠପଢା ଶେଷ କରିଥିଲି। ବହୁ ସଂସ୍ଥା ଓ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ମିଳିଥିଲା। ମୋର ବାପାଙ୍କ ରୋଜଗାର ସେତାଟା ଆଖିଦୃଶିଆ ନ ଥିଲା। ପୁଣି ଆକ୍ରମଣ ପରେ ବାପାଙ୍କ ଦୋକାନ ମଧ୍ୟ ବନ୍ଦ ହୋଇଯାଇଥିଲା।
ପରେ ଆତଙ୍କବାଦର ଦମନ କରିବା ପାଇଁ ମୁଁ ଆଇପିଏସ ଅଧିକାରୀ ହେବାକୁ ନିଷ୍ପତ୍ତି ନେଇଥିଲି। କିନ୍ତୁ ମୋ ପରିବାରର ଭରଣ ପୋଷଣ ଦାୟିତ୍ୱ ମୋର ଥିଲା। ଯାହାଯୋଗୁ ସ୍ବପକୁ ପଛ କରି ଏବେ ଚାକିରିଟିଏ ଖୋଜୁଛି। ଯାହାଦ୍ୱାରା ଘର ପାଖରେ ରହି ଘରର ଦେଖାଶୁଣା କରିପାରିବି।
ବର୍ତ୍ତମାନ ଦେବିକା ବାନ୍ଦ୍ରାର ଚେତନା କଲେଜରେ ଯୁକ୍ତ ୩ କଳାର ତୃତୀୟ ବର୍ଷର ଛାତ୍ରୀ। ତାଙ୍କ ବାପାଙ୍କ ବୟସ ହୋଇଯବ ଯୋଗୁ ଘରେ ଆଉ କେହି ବି ରୋଜଗାରକ୍ଷମ ନୁହନ୍ତି। ତେଣୁ ଦେବିକା ଏବେ ଚାକିରି ସନ୍ଧାନରେ ଅଛନ୍ତି। ସେ କହିଛନ୍ତି, ମୋତେ ବହୁତ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଶେଷରେ ବୁଝିଲି ଯେ ନିଜକୁ ନିଜ ପାଇଁ ରାସ୍ତା ଖୋଜିବାକୁ ପଡିଥାଏ। ଲୋକ କେବଳ ବଡ ବଡ କଥା କହି ଜାଣନ୍ତି। କିନ୍ତୁ କେହି ବି ଜାଣନ୍ତିନି କଠିନ ସଂଘର୍ଷ କରି ମୁଁ ଏପର୍ଯ୍ୟନ୍ତ ପହଞ୍ଚିଛି।